ପୋଲିସ ଡ୍ରେସ ପିନ୍ଧି ଲୁଟ କରିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ
କଳାହାଣ୍ଡି: ପୋଲିସ ଡ୍ରେସ ପିନ୍ଧି ଆସିଥିଲେ ଲୁଟ କରିବାକୁ । ଭାବିଥିଲେ, ଖାକି ଦେଖି ଭୟଭିତ ହୋଇଯିବେ ଲୋକେ । ହେଲେ ଫସର ଫାଟିଗଲା ଯୋଜନା । ଲୁଟ କରି ଫେରାର ହେଉଥିବା ପୋଲିସ ଡ୍ରେସ ପିନ୍ଧା ୩ ଲୁଟେରାଙ୍କୁ ମାଡ଼ି ବସିଲେ ଗ୍ରାମବାସୀ । ଧରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଛନ୍ତି ଗାଁ ଲୋକେ । ତେବେ ଘଟଣା ସ୍ଥଳରୁ ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ବ୍ଳକର ଦେଢ଼ସୁଲି ପଞ୍ଚାୟତ ରୁବେନ ଗାଁରେ ।
ଅଭିଯୋଗ ଅନୁସାରେ ଗାଁର ରୀପା ମାଝୀଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଥିଲେ । ସମସ୍ତେ ପୋଲିସ ଡ୍ରେସରେ ଆସିଥିଲେ । ରୀପାଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଡକାୟତ କରି ନେଇଥିବା ମୋହନଗିରି ଫାଣ୍ଡିରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଏକ ବୋଲେରୋ ଗାଡ଼ିରେ ୭ ଜଣ ଲୁଟେରା ପୋଲିସ ଡ୍ରେସ ପିନ୍ଧି ଆସିଥିବା ବେଳେ ୩ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ । ଉକ୍ତ ବୋଲେରୋ ଗାଡ଼ିକୁ ଗାଁ ଲୋକେ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି । ଅଟକ ୩ ଜଣ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ୨୮ ବର୍ଷୀୟ ପିଣ୍ଟୁ ସେଠୀ, ୨୮ ବର୍ଷୀୟ ଆଶିଷ ଦିଗାଲ ଓ ଅନ୍ୟ ଜଣେ ପକାରି ଗାଁର ୩୨ ବର୍ଷୀୟ ସୁଧାକର ବଳିୟାରସିଂ । ଅଟକ ୩ଜଣଙ୍କୁ ଏମ୍. ରାମପୁର ଥାନାକୁ ଆଣି ପୋଲିସ ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ପଦକ୍ଷେପ ନେଉଛି ।