ରାଜନୀତିରେ ଜଳୁଛି ଲକ୍ଷ୍ମୀପୁର: ପ୍ରିୟଙ୍କା କହିଲେ, ବିନା ଅଭିଯୋଗରେ ମୋତେ ୨୮ ଘଣ୍ଟା ଅଟକ କାହିଁକି ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ମୃତ୍ୟୁ ଘଟଣାରେ ଦେଶବ୍ୟାପୀ ଜଳୁଛି ନିଆଁ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରେ ଦାବି ଜୋର ଧରିଛି । ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି । ଯୋଗୀ ସରକାର ଘଟଣାରେ ଉଚିତ୍ ତଦନ୍ତ କରିବା ପାଇଁ ଦାବି ହୋଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆପ୍, ଟିଏମସି, ବାମଦଳ ସହ ତମାମ ବିରୋଧୀ ଦଳ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନ୍ୟାୟ ଦାବି କରିଛନ୍ତି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବିନା କୌଣସି ଅଭିଯୋଗରେ ପୋଲିସ ୨୮ ଘଣ୍ଟା ଧରି ଅଟକ ରଖିଛି   । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା  ।

ଟ୍ୱିଟର ଯୋଗେ ପ୍ରିୟଙ୍କା ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି  । ତାଙ୍କ ବିରୋଧରେ କୈଣସି ଅଭିଯୋଗ କିମ୍ବା କୈଣସି ନିର୍ଦ୍ଧିଷ୍ଟ ୱାରେଣ୍ଟ ନଥିବା ସ୍ୱତେ ଉତ୍ତରପ୍ରଦେଶ ପୋଲିସ ପ୍ରାୟ ୨୮ ଘଣ୍ଟା ପାଖାପାଖି ଅଟକ ରଖିଛି  । ଗତକାଲି ଭୋରରୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷମୀପୁର ଆନ୍ଦୋଳନ ସ୍ଥଳକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଅଧ ରାସ୍ତାରେ ଅଟକ ରଖିଥିଲା  । ପରେ ପ୍ରିୟଙ୍କା ଯେଉଁ ଗେଷ୍ଟ ହାଉସରେ ରହୁଥିଲେ, ତାକୁ ଝାଡ଼ୁ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା  ।

ସେପଟେ ପରିସ୍ଥିତିକୁ ନଜରରେ ରଖି ଲକ୍ଷ୍ମୀପୁର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହ ୧୪୪ ଧାରା ଲାଗୁ କରାଯାଇଛି । କୌଣସି ବିରୋଧୀ ଦଳ ନେତାଙ୍କୁ ଲକ୍ଷ୍ମୀପୁର ଆସିବା ପାଇଁ ଅନୁମତି ଦିଆଯାଉନାହିଁ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଛନ୍ତି ଚାଷୀ ସଙ୍ଗଠନ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ଗାଡି ଧକ୍କାରେ ୨ ଚାଷୀ ପ୍ରାଣ ହରାଇବା ସହ ହିଂସା ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave a Reply