ରାତି ଅଧିଆ ମାଟି ପକାଇ ଚାଷୀଙ୍କ ଜମି ହଡପ କରୁଛନ୍ତି ମାଫିଆ

1 min read

ବରଗଡ଼: ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଜମି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ନିରୀହ ଚାଷୀଙ୍କ ଜମି ଉପରେ ଏବେ ପଡ଼ିଛି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । କିଛି ଦିନ ତଳେ ଏସସି ଜମିକୁ ସାଧାରଣ ବର୍ଗକୁ ବିକ୍ରି କରାଯାଇଥିଲା l ତାହା ପୁଣି ପୂର୍ବତନ ଉପ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତରେ l ଏହି ଘଟଣା ଲୋକଙ୍କ ମନରୁ ନଯାଉଣୁ ଏବେ ଖେଦାପାଲିରେ ଚାଷୀଙ୍କ ଜମିରେ ରାତିଅଧିଆ ମାଟି ପକାଇ ତାକୁ ମାଫିଆ କବଜା କରୁଥିବା ହୋଇଛି ଅଭିଯୋଗ । ଆଉ ପ୍ରତିବାଦ କଲେ ଚାଷୀଙ୍କୁ ଦିଆଯାଉଛି ଧମକଚମକ ।

ଖେଦାପାଲି ଗାଁର ଚାଷୀ ଆନନ୍ଦ ପ୍ରଧାନ ଏମିତି ଅଭିଯୋଗ ଆଣିଛନ୍ତି । ତାଙ୍କର ୧୧ ଏକର ୮୧ ଡିସିମିଲ ଜମିରୁ ୮ ଏକର ୬ ଡିସିମିଲ ଜମି ବିନା ସହମତି ଓ ବିନା ଦସ୍ତଖତରେ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାରି ଭିତରେ ପ୍ରାୟ ୧ ଏକର ଫଳନ୍ତି ଧାନ ଚାଷ ଉପରେ ମାଟି ପୋତି ଦେଇଥିଲେ ମାଫିଆ । ଯାହାର ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ ଚାଷୀ ଓ ଗ୍ରାମବାସୀ ।

ବରଗଡରେ ବେଧଡକ ଭାବେ ଜମି କବଜା କରୁଛନ୍ତି ମାଫିଆ । ଏନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ଗତ ଦୁଇ ଦିନ ତଳେ ବରଗଡ ଭଟଲି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଚାଷୀ । ଫଳରେ ଦୀର୍ଘ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶତାଧିକ ଗାଡି । ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାଶୁଝା କଲା ପରେ ହଟିଥିଲା ରାସ୍ତା ରୋକ । ଏପଟେ ଜମି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି । ଦୋଷୀ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବରଗଡ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ତେ କହିଛନ୍ତି ।

ଜଣେ ଜମି ମାଫିଆଙ୍କୁ ବରଗଡ଼ ଟାଉନ୍ ପୋଲିସ ଢେଙ୍କାନାଳରୁ ଗିରଫ କରିଛି । ତେବେ ବରଗଡ ଜିଲ୍ଲାରେ ନିରୀହ ବ୍ଯକ୍ତିଙ୍କ ଜମିକୁ ବେଧଡକ ବିକ୍ରି କରୁଥିବା ଅନ୍ୟ ଜମି ମାଫିଙ୍କ ଉପରେ କେବେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା ।