ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର: ପୁଣି ଭିଜିବ ଓଡ଼ିଶା । ଦକ୍ଷିଣପୂର୍ବ ବାଂଲାଦେଶ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେବ । ଉତ୍ତର ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହାର ପ୍ରଭାବ ସେତେ ଅଧିକ ରହିବ ନାହିଁ । ସପ୍ତାହେ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ଯମଧରଣ ବର୍ଷା ହେବ ।

ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଯାଜପୁର, କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁର ।

୭ ତାରିଖ ଯାଏ ବିଶେଷ ବର୍ଷା ନଥିବା ବେଳେ ୮ ତାରିଖ ବେଳକୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବା ସମ୍ଭାବନା ରହିଛି । ଏହାସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବ ।