୨୧ ପରଠୁ ଫନି ଗତିପଥରେ ଗତି କରିବ ବାତ୍ୟା, ୨୩ରୁ ପ୍ରବଳ ବର୍ଷା

1 min read

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୦ ତାରିଖରେ ଏହା ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଚାଇନା ସାଗରରେ ଆଉ ଏକ ସିଷ୍ଟମ ରହିଛି ଯେଉଁଥିପାଇଁ ଏହା ବର୍ତ୍ତମାନ ଘନୀଭୂତ ହୋଇପାରୁନାହିଁ । ୨୧ ତାରିଖରେ ଘୂର୍ଣ୍ଣିବଳୟ ଘନୀଭୂତ ହେବା ଆରମ୍ଭ ହେବ । ଫଳରେ ୨୩ ରୁ ୨୬ ମଧ୍ୟରେ ଓଡିଶାରେ ବର୍ଷା ହେବ । ଉପକୂଳ ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଲଘୁଚାପ ପରେ ଅଧିକ ଘନୀଭୂତ ପାଇଁ ପାଗ ଅନୁକୂଳ ରହିଛି । ବାତ୍ୟା କିମ୍ବା ମହାବାତ୍ୟାର ରୂପ ନେଇପାରେ ଘୁର୍ଣ୍ଣିବଳୟ । ୨୧ ତାରିଖ ପର ଠାରୁ ଫନିର ଗତିପଥରେ ଗତି କରିବ ବାତ୍ୟା । ଆଣ୍ଡାମାନରୁ ବାହାରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ଆସିବ ଘୁର୍ଣ୍ଣିବଳୟ । ତାମିଲନାଡୁ ଗତି ପରିବର୍ତ୍ତନ କରି ଫନିର ଗତିପଥରେ ଆସି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ହୋଇ ପୂର୍ବ ଉପକୂଳ ମୁହାଁଇବ ସମ୍ଭାବନା ରହିଛି ।

୨୪ ରୁ ୨୬ ମଧ୍ୟରେ ଉପକୂଳ ଅତିକ୍ରମ କରିବା ନେଇ ସଙ୍କେତ ରହୁଛି । ଆନ୍ଧ୍ର ଓଡିଶା ନଚେତ ଓଡିଶା ପଶ୍ଚିମବଙ୍ଗ ଉପକୂଳ ଦେଇ ଯିବ ବୋଲି
ବିଭିନ୍ନ ମଡେଲ ଭିନ୍ନଭିନ୍ନ ଆକଳନ କରୁଛନ୍ତି । ୨୨ ତାରିଖ ସୁଦ୍ଧା ବାତ୍ୟାର ଗତିପଥ ଏବଂ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ । NAVGM ମଡେଲ କହୁଛି ଓଡ଼ିଶାର ପୁରୀ କୋଷ୍ଟରେ ହୋଇପାରେ ଲ୍ୟାଣ୍ଡଫଲ । ସେହିପରି ଜିଏଫଏସର ଆକଳନ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କହୁଥିବାବେଳେ ୟୁକେ ମେଟର ଆକଳନ ଓଡିଶା ଉପକୂଳ କହିଛି ।

୨୬ ସକାଳେ ବାଲେଶ୍ବର-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ ବାତ୍ୟା । ଏହି ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ବେଗ
ଥିବାବେଳେ ଭୁବନେଶ୍ୱରରେ ୬୦ ରୁ ୭୦ କିମି କହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।