ନନ୍ଦିଘୋଷ ବ୍ୟୁରୋ: ବେଆଇନ ବାଲି ଖନନ ଯୋଗୁଁ ସୃଷ୍ଟି ହେଉଛି କୃତ୍ରିମ ଗଣ୍ଡ । ବାଲିଘାଟରେ ଅତର୍କିତ ଚଢ଼ାଉ କରୁଛି କମିଶନରେଟ୍ ପୋଲିସ୍ । କୋଟି କୋଟି ଟଙ୍କାର ରାଜସ୍ୱ ହାନି ପରେ ଚେତିଲା ପୋଲିସ୍ । ସେପଟେ ରାଜଧାନୀର ଡେଥ୍ ଜୋନ୍ ପାଲଟିଛି କୁଆଖାଇ । ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ନିକଟ ବାଲିଘାଟ ରେ ଧାଡି ଧାଡି ହୋଇ ଥୁଆ ହୋଇଛି ହାଇୱା ଓ ଜେସିବି । ଗତ ଶୁକ୍ରବାର ବେଆଇନ ଖନନ, ଲଘୁ ଖଣିଜ ଲୁଟ ଓ ସହର ଭିତରେ ଧାଡି ଧାଡି ହୋଇ ଭାରିଯାନ ପ୍ରବେଶ କରୁଥିବା ନେଇ ଖବର ପାଇବା ପରେ ଏକକାଳୀନ ଚଢ଼ାଉ କରିଥିଲେ ୪ ଥାନାର ପୋଲିସ । ନନ୍ଦନକାନନ, ବାରଙ୍ଗ, ମଞ୍ଚେଶ୍ୱର, ଚନ୍ଦକା ଆଇଆଇସି ଓ ପୁରା ଟିମକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ବାଲି ମାଫିଆ । ଚଢ଼ାଉ ବେଳେ ନିର୍ଦ୍ଧାରିତ ସୀମା ଅତିକ୍ରମ କରି ବାଲି ଖନନ ଓ ବିରାଟ ବିରାଟ ଗଣ୍ଡ ସୃଷ୍ଟି ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ । ପରିବହନ ପାଇଁ ଗାଡି ମାଲିକଙ୍କ ନିକଟରେ ‘ୱାଇ’ ଫର୍ମ ନଥିବାରୁ ୩୮ ଟି ହାଇୱା ଓ ୨ ଟି ଜେସିବି ସିଜ୍ ହୋଇଥିବା କହିଛନ୍ତି ପୋଲିସ କମିଶନର।
ତେବେ ବାଲିଘାଟ ମାଲିକଙ୍କ ଏପରି ବେପରୁଆ କାମ ଓ ପ୍ରଶାସନିକ ଉଦାସୀନତା ପାଇଁ ବିଗତ ୪ ବର୍ଷରେ କଲ୍ୟାଣପୁରରୁ ବାଲିଅନ୍ତା ମଧ୍ୟରେ କୁଆଖାଇ ନଦୀ ନେଇଛି ୧୩୦ ମୁଣ୍ଡ। କୃତ୍ରିମ ଗଣ୍ଡ ଯୋଗୁଁ ଗାଧୋଇବା ବେଳେ ସନ୍ତରଣ ନଜାଣି ବା ନିଶାସକ୍ତ ଅବସ୍ଥାରେ ଯାଇଛି ଅନେକ ଜୀବନ । ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସତର୍କତା ମୂଳକ ଫଳକ ଲଗାଇବାକୁ ବାରମ୍ବାର ନିବେଦନ ସତ୍ତ୍ୱେ ଫଳ ଶୂନ । ସେହିଭଳି ନଦୀରେ ବୁଡ଼ିଗଲେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ବସିପଡୁଛି ପୋଲିସ । ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ମଧ୍ୟ ଅଣଦେଖା ହେଉଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଫଳ ଶୂନ । ସହର ଭିତରରେ ବିପଜ୍ଜନକ ଭାବେ ବାଲି ଟ୍ରକ ଯିବାଆସିବା କରୁଛି । ଦୁର୍ଘଟଣାରେ ପାଣି ଫୋଟକା ଭଳି ଲୋକଙ୍କ ଜୀବନ ଯାଉଛି । ଏବେ ସବୁ ଦେଖି ନିଦାବିଷ୍ଣୁ ପାଲଟିଛି ଟ୍ରାଫିକ ପୋଲିସ ।

