ବାଣ ଦୋକାନରେ କମିଶନରେଟ ପୋଲିସର ଚଢ଼ାଉ, ବିପୁଳ ପରିମାଣରେ ବାଣ ଜବତ
ଭୁବନେଶ୍ବର: ଆଜି ଦିବାପଳୀ । ବାଣ କିଣିବାକୁ ସକାଳୁ ଲାଗିଛି ବିଭିନ୍ନ ବାଣ ଦୋକାନରେ ଲୋକଙ୍କ ଗହଳି । ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଥାନା ଅଞ୍ଚଳରେ ବାଣ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ କିଛି ସ୍ଥାନରେ ବିନା ଲାଇସେନ୍ସରେ ବାଣ ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ବିଭିନ୍ନ ବାଣ ଦୋକାନରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଏସିପି ଅମିତାଭ ମହାପାତ୍ର ଏବଂ ଏସିପି କେପି ମିଶ୍ରଙ୍କ ନେତୃତ୍ବରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଥାନା ଅଞ୍ଚଳରେ ବାଣ ଦୋକାନ ଗୁଡିକରେ ଅତର୍କିତ ଚଢ଼ାଉ କରାଯାଇଛି ।
ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳିକୁ ପାଳନ କରିବା ଲାଗି ସମ୍ପୃକ୍ତ ବାଣ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି । ବିନା ଅନୁମତିରେ ବାଣ ଦୋକାନ ନ କରିବା ଲାଗି ମଧ୍ୟ କଡା ନିର୍ଦ୍ଦେଶ ରହିଥିଲା । କେତେକ ବ୍ୟବସାୟୀ ବେଆଇନ ଭାବେ ବାଣ ବ୍ୟବସାୟ କରିଥିବା ଜାଣି ଚଢାଉ କରାଯାଇଥିଲା । ନିର୍ଦ୍ଦେଶାବଳିକୁ ପାଳନ କରିବା ଲାଗି ସମ୍ପୃକ୍ତ ବାଣ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ବିନା ଅନୁମତିରେ ବାଣ ଦୋକାନ ନ କରିବା ଲାଗି ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଏହି ଚଢାଉରେ ବଡଗଡ, ଖଣ୍ଡଗିରି, ଜଟଣୀ ଓ ଏୟାରଫିଲ୍ଡ ଥାନା ଅଞ୍ଚଳ ସମେତ ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ବେଆଇନ ବାଣ ଦୋକାନଗୁଡିକରୁ ବିପୁଳ ପରିମାଣର ବାଣ ଓ ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରାଯାଇଛି । ସେସବୁକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ଥାନା ଜିମା ଦିଆଯାଇଛି ।