ଓମିକ୍ରନକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ, ଭାରତରେ ଫେବ୍ରୁଆରୀରେ ଛୁଇଁବ ପିକ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ । ଭାରତରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏପରି ସ୍ଥିତିରେ ଓମିକ୍ରନକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ । ୨୦୨୨ ଫେବ୍ରୁଆରୀରେ ଦେଶରେ ପିକ୍ ଛୁଇଁପାରେ ଓମିକ୍ରନ । ଏନେଇ ଆକଳନ କରିଛନ୍ତି ଦେଶର ଦୁଇ ବରିଷ୍ଠ ବୈଜ୍ଞାନିକ । ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୫୦ ହଜାରରୁ ୧ ଲକ୍ଷ ୮୦ ହଜାର ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ଆଇଆଇଟି କାନପୁରର ବୈଜ୍ଞାନିକ ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ୱାଲ ଓ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ପ୍ରଫେସର ଏମ. ବିଦ୍ୟାସାଗର । ଓମିକ୍ରନ କ୍ଷେତ୍ରରେ ଟିକା କାମ ଦେବ ନାହିଁ ବୋଲି କହିଛନ୍ତି ଦୁଇ ବୈଜ୍ଞାନିକ ।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ତିନି ସପ୍ତାହ ଧରି ବୃଦ୍ଧି ପାଇବା ପରେ ଏବେ ହ୍ରାସ ପାଇବା ଆରମ୍ଭ ହୋଇଛି । ଡିସେମ୍ବର ୧୫ରେ ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ସଂଖ୍ୟା ଥିଲା ୨୫ ହଜାର । ବର୍ତ୍ତମାନ ଏହା ୨୦ ହଜାରକୁ ହ୍ରାସ ପାଇଛି । ବ୍ରିଟେନ ଓ ଆମେରିକାରେ ଯେଉଁ ହାର ବର୍ତ୍ତମାନ ଦେଖାଦେଇଛି ତାହା ଫେବ୍ରୁଆରୀ ବେଳକୁ ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହି ଦୁଇ ଦେଶରେ ଯେତିକି ଓମିକ୍ରନ ସଂକ୍ରମିତ ସୃଷ୍ଟି ହେଉଛନ୍ତି ତାହା ବିଶ୍ୱର ମୋଟ ଓମିକ୍ରନ୍ ସଂକ୍ରମଣର ୩୪ ପ୍ରତିଶତ । ସେପଟେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନର ଓ୍ୱେଲକମ ସେଣ୍ଟର ଫର ହ୍ୟୁମାନ ନ୍ୟୁରୋଇମେଜିଂ ପକ୍ଷରୁ କୁହାଯାଇଛି ଜାନୁଆରୀ ପ୍ରଥମ ସପ୍ତାହରେ ବ୍ରିଟେନରେ ସଂକ୍ରମଣ ସର୍ବୋଚ୍ଚ ସ୍ତରକୁ ଯିବ । ହସ୍ପିଟାଲ ଆଡମିଶନ ସଂଖ୍ୟା ଦୈନିକ ୧୨୦୦ ହେବା ସହ ମୃତ୍ୟୁ ସଂଖ୍ୟା ଦୈନିକ ୧୩୭ ହେବ ବୋଲି ଆକଳନ କରାଯାଇଛି ।

ସେହିପରି ଆମେରିକା କଥା ଯଦି କହିବା ତାହାଲେ ବର୍ତ୍ତମାନ ଆମେରିକାରେ ହାରାହାରି ଦୈନିକ ୧ ଲକ୍ଷ ୪୦ ହଜାର କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହେଉଥିବାବେଳେ ୧୨୨୬ ଜଣ ଲୋକ ପ୍ରାଣ ହରାଉଛନ୍ତି । ସେପଟେ ଓମିକ୍ରନର ମୁକାବିଲା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତା ଜାନୁଆରୀରୁ ୫୦ କୋଟି ମାଗଣା କୋଭିଡ ଟେଷ୍ଟ କରାଯିବ ବୋଲି ବାଇଡେନ କହିଛନ୍ତି । ଏଥିସହ ଘରକୁ ଘର ଯାଇ ସ୍ୱତନ୍ତ୍ର ଟିମ୍ ଏହି ରାପିଡ ଟେଷ୍ଟ କରିବେ ବୋଲି ସେ ଘୋଷଣା କରିଛନ୍ତି ।

 

Leave a Reply