ଜୋ ବାଇଡେନ୍ ରାଷ୍ଟ୍ରପତି ହେଲେ ଚୀନର ବଢିବ ସମସ୍ୟା; ଜାଣନ୍ତୁ କାହିଁକି…

ଆମେରିକା: ଚୀନ୍ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବିଶେଷ କରି କରୋନା ସଂକ୍ରମଣ ପାଇଁ ଟ୍ରମ୍ପ୍ ଏକାକୀ ଚୀନକୁ ଦାୟୀ କରିଥିଲେ । ସେହିଭଳି ଚୀନ ମାନବାଧିକାର ଉଲଂଘନ କରୁଥିବା ମଧ୍ୟ ଟ୍ରମ୍ପ କହିସାରିଛନ୍ତି । ତେବେ ଏବେ ନିର୍ବାଚନରେ ଜୋ ବାଇଡନ୍ ନିର୍ବାଚିତ ହେବା ପରେ ଚିତ୍ର କିଛି ବଦଳି ପାରେ କି ? କାରଣ ଚୀନ୍ ଓ ଆମେରିକାର ତିକ୍ତତା କିଛି ଦେଶଙ୍କୁ ସୁହାଇଥାଏ । ଏଥିମଧ୍ୟରୁ ଭାରତକୁ ଅଗ୍ରୀଣ ବୋଲି କହିବା ଭୁଲ୍ ହେବ ନାହିଁ ।

ଚୀନ ଭାରତର ପଡୋଶୀ । ତେଣୁ ପଡୋଶୀ ଅଧିକ ଶକ୍ତିଶାଳୀ ହେବା ଭାରତକୁ ସୁହାଇବନି । ଏଣୁ ଏବେ ଆମେରିକାର ଚାଲିଥିବା ନିର୍ବାଚନ ଭାରତୀୟଙ୍କ ପାଇଁ ଏକ ଆଲୋଚନାର ପ୍ରସଙ୍ଗ ହୋଇପଡିଛି । ଭାରତୀୟଙ୍କ ଚିନ୍ତା; ବିଗତ ଦିନରେ ଚୀନ୍, ଆମେରିକାଠାରୁ ଯେଉଁ ବିରୋଧକୁ ସାମ୍ନା କରୁଥିଲା, ତାହା ଆସନ୍ତାକାଲି ମଧ୍ୟ କରିବ ତ? କେବଳ ଟ୍ରମ୍ପଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ଆମେରିକୀୟ ରାଜନୈତିକ ବିଶେଷଜ୍ଞଙ୍କ ବୁଝିବା ଏହା ଯେ ଟ୍ରମ୍ପଙ୍କ ବିରୋଧ ତୁଳନାରେ ବାଇଡନଙ୍କ ବିରୋଧ ଆହୁରି କଡ଼ା ହେବ । ବାଇଡେନ ଡେମୋକ୍ରାଟ ଦଳରୁ ଆସନ୍ତି । ମୋଟାମୋଟି ଭାବେ କହିଲେ, ଏକ ଗଣତାନ୍ତ୍ରିକ ବିଚାରଧାରକୁ ନିଜ ଆଭିମୁଖ୍ୟ ବୋଲି କହି ରାଜନୀତି କରୁଥିବା ଦଳରୁ ସେ ନିର୍ବାଚନ ଲଢନ୍ତି ।

ଏଣୁ ଚୀନ୍ ବିରୋଧ କରିବା ତାଙ୍କର ଚିରାଚରିତ ପ୍ରକ୍ରିୟା ହେବ । ଚୀନର ତାନାସାହି ସହୁଥିବା ସମସ୍ତ ଦେଶଙ୍କ ସହ ଆମେରିକାର ଭଲ ସମ୍ପର୍କ ରଖିବା ନେଇ ପ୍ରୟାସ ହେବ । ସେହିଭଳି ବାଇଡେନ୍ ନିଜେ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ବିଶ୍ୱକୁ ଏକ ସ୍ପଷ୍ଟ ଚିତ୍ର ଦେଇଛନ୍ତି । ନିର୍ବାଚିତ ହେଲେ ଦେଶ ସରକାର ଚୀନ୍ ପ୍ରତି କେଉଁ ଆଭିମୁଖ୍ୟ ରଖିବ ସେନେଇ କହିଛନ୍ତି । ତାଙ୍କ କହିବା କଥା ଯେ ଚୀନ୍ ଆମେରିକାର ପ୍ରମୁଖ ପ୍ରତିଦ୍ୱନ୍ଦୀ, ତେଣୁ ରାଜନୈତିକ ପ୍ରସଙ୍ଗରେ ଚୀନ୍ ସହ ମେଳାପୀ ସ୍ୱଭାବ ରଖିବାର ପ୍ରଶ୍ନ ଉଠୁନାହିଁ । ୨୦୧୩ରେ ଚୀନ୍ ରାଷ୍ଟ୍ରପତି, ବାଇଡେନଙ୍କୁ ନିଜ ମିତ୍ର ବୋଲି କହିଥିଲେ । ମାତ୍ର ଏହା ପରେ ମଧ୍ୟ ବାଇଡେନ୍ କେବେ ନିଜ ଆଭିମୁଖ୍ୟରେ ସାମାନ୍ୟତମ ପରିବର୍ତ୍ତନ ମଧ୍ୟ ଆଣିନାହାନ୍ତି । ସେ ଯେଉଁଭଳି ଭାବେ ଚୀନକୁ ବିରୋଧ କରୁଥିଲେ ତାହା ଏବେ ମଧ୍ୟ ବଜାୟ ରହିଛି ।

ସେହିଭଳି ନିଜର ୩୦ ବର୍ଷର ରାଜନୈତିକ ଜୀବନରେ ବାଇଡେନ୍ କେବେ ମଧ୍ୟ ଚୀନ ସପକ୍ଷରେ ନିଷ୍ପତ୍ତି ନେଇନାହାନ୍ତି । ଯାହା ପ୍ରମାଣ କରେ ଯେ ଏଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ତାଙ୍କର ଚୀନ୍ ପ୍ରତି ଆଭିମୁଖ୍ୟ ବଦଳିବ ନାହିଁ । ଅନ୍ୟପକ୍ଷରେ ଚୀନ୍ ଆମେରିକାର ଏକ ବଡ ପ୍ରତିଦ୍ୱନ୍ଦୀ ବୋଲି ସେ ଗ୍ରହଣ କରିଛନ୍ତି । ବାଣିଜ୍ୟ, ରାଜନୈତିକ ଓ କୁଟନୈତିକ ସ୍ତରରେ ଦେଶକୁ ଆଗକୁ ବଢିବାକୁ ହେଲେ ଚୀନକୁ ଏହି ସବୁ କ୍ଷେତ୍ରରେ ମାତ୍ ଦେବାକୁ ପଡ଼ିବ ।

Leave a Reply