ବାୟୁସେନାରେ ଅଗ୍ନିବୀରଙ୍କୁ ମିଳିବ ୪୮ ଲକ୍ଷ ବୀମାରାଶି, ୩୦ ଛୁଟି

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହେଉଛି। ଠିକ ଏହି ସମୟରେ ଭାରତୀୟ ବାୟୁସେନା ଅଗ୍ନିପଥ ସ୍କିମରେ ଜଡିତ ସୁବିଧାର ବିବରଣୀ ଦେଇଛି। ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବାକୁ ଥିବା ଅଗ୍ନିବୀରଙ୍କୁ ମିଳିବ ୩୦ ଦିନ ଛୁଟି  । କ୍ୟାଣ୍ଟିନ, ୟୁନିଫର୍ମ  ସହ ମିଳିବ ଇନସ୍ୟୁରାନ୍ସ  ।

ଆଜି ଭାରତୀୟ ବାୟୁସେନା ନିଜ ୱେବସାଇଟରେ ଅଗ୍ନିପଥ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ଜାରି କରିଛି। ନିୟମିତ ସୈନିକଙ୍କ ଭଳି ଅଗ୍ନିବୀରଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ମାସିକ ବେତନ ସହ ୟୁନିଫର୍ମ ଭତ୍ତା, ହାର୍ଡସିପ ଭତ୍ତା, କ୍ୟାଣ୍ଟିନ ଓ ମେଡିକାଲ ସୁବିଧା ମିଳିବ  । ଅଗ୍ନିବୀରଙ୍କୁ ଟିଏ (ଗାଡିଭଡା ଖର୍ଚ୍ଚ) ସହ ୩୦ ଦିନ ଛୁଟି ମିଳିବ  ।ଏହା ସହ ମେଡିକାଲ ଛୁଟି ବି ଅଲଗା ମିଳିବ । ମେଡିକାଲ ଚେକଅପ ଉପରେ ଛୁଟି ନିର୍ଭର କରିବ । ବାୟୁସେନାରେ ଅଗ୍ନିବୀରଙ୍କ ବୟସ ଯୋଗ୍ୟତା ୧୭.୫ରୁ ୨୩ ବର୍ଷ ପର୍ଯ୍ୟନ୍ତ ରହିବ ।

ଚାକିରୀ ସମୟରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୁଏ ତେବେ ବୀମା ଅନ୍ତର୍ଗତ ଏକ କୋଟି ଆର୍ଥିକ ସହାୟତା ପରିବାରକୁ ମିଳିବ । ଡ୍ୟୁଟି ସମୟରେ ଅପଙ୍ଗ ହେଲେ ୪୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ଏହା ସହ ଯେତେଦିନର ଚାକିରୀ ବଳକା ଥିବ ସେତିକି ଦିନର ସମ୍ପୂର୍ଣ୍ଣ ଦରମା ମିଳିବ । ସେହିପରି ସେବା ନିଧି ପ୍ୟାକେଜର ସୁବିଧା ବି ପାଇବେ ଅଗ୍ନିବୀର । ସର୍ବମୋଟ ୪୮ ଲକ୍ଷ ଟଙ୍କାର ବୀମା ପାଇବେ ଅଗ୍ନିବୀର  ।

ଆଗାମୀ ଜୁନ  ୨୪ରୁ ଅଗ୍ନିପଥ ଯୋଜନାରେ ଚୟନ ପ୍ରକ୍ରିୟା ଆରମ୍ଭ ହେବା ନେଇ କହିଛନ୍ତି ଏୟାର ଚିଫ ମାର୍ଶଲ ବି ଆର ଚୌଧୁରୀ । ନୂଆ ଯୋଜନା ଅନୁସାରେ ୪ ବର୍ଷ କାର୍ଯ୍ୟକାଳ ପାଇଁ ୨.୫ ମାସରୁ ୬ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ ।