ଗ୍ୟାସ୍ ଗ୍ରାହକଙ୍କୁ ଠକିବାର ନୂଆ ଫର୍ମୁଲା, ଦର ବଢ଼ିଲେ ଡେଲିଭରି
ଭୁବନେଶ୍ୱର: ଆପଣ ଜଣେ ଗ୍ୟାସ୍ ଉପଭୋକ୍ତା କି ? କଣ ଆପଣ ଗ୍ୟାସ୍ ବୁକିଂ କଲା ପରେ ବି ନିର୍ଦ୍ଧାରିତ ସମୟରେ ମିଳୁନି ସିଲିଣ୍ଡର । ଯଦି ହଁ… ତ ଏସବୁ ପଛର ଗୋଲକଧନ୍ଦାର ଉତ୍ତର ହେଉଛି ଦରବୃଦ୍ଧିରୁ ରୋଜଗାର । ଗ୍ୟାସ୍ କମ୍ପାନୀ ଅଧିକ ମୁନାଫା କମାଇବା ପାଇଁ ଏଭଳି ଚକ୍ରାନ୍ତ କରୁଛନ୍ତି । ଅନଲାଇନରେ ଗ୍ୟାସ୍ ବୁକିଂ, ପେମେଣ୍ଟ ପରେ ବି ୧୦ ଦିନ ଯାଏ ସିଲିଣ୍ଡର ଡେଲିଭରି ଦେଉନାହାନ୍ତି । ଆଉ ଯେବେ ଦର ବଢ଼ୁଛି ତ ତୁରନ୍ତ ଦରବୃଦ୍ଧିର କେଇ ଘଣ୍ଟାରେ ଘରେ ପହଞ୍ଚିଯାଉଛି ଗ୍ୟାସ୍ ।
ନଜର ପକାନ୍ତୁ ଗ୍ୟାସ୍ ସିଲିଣ୍ଡର ବୁକିଂ ଉପରେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କାଳୁପଡ଼ାରେ ରହିଛି ଏଚପି ଅଧିକୃତ ରୟାଲ୍ ଲିଭିଂ । ଅନଲାଇନ୍ ବୁକିଂର ଦୀର୍ଘ ଦିନ ଯାଏ ଏଚପି ଗ୍ୟାସ୍ ଡିଲର ରୟାଲ୍ ଲିଭିଂ ଗ୍ୟାସ୍ ହୋମ୍ ଡେଲିଭରି କରୁ ନାହିଁ । ଏ ଅଭିଯୋଗ ଆଜିର ନୁହେଁ, କଷ୍ଟମର ୨୦୨୦ ମସିହା ଅଗଷ୍ଟ ମାସରୁ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି । ତଥାପି ଫଳ ଶୂନ୍ । ଏଚପି ଗ୍ୟାସର କୋଲକାତା ସ୍ଥିତ ଅଧିକାରୀ ସିଦ୍ଧାର୍ଥ ଝାଙ୍କୁ ଅଭିଯୋଗ ପରେ ଗ୍ୟାସ୍ ତ ଡେଲିଭରି ହେଇ ଯାଉଛି କିନ୍ତୁ ସମସ୍ୟା କି ଗ୍ୟାସ୍ ଏଜେନ୍ସିର କାର୍ଯ୍ୟକଳାପରେ କିଛି ଫରକ ଆସୁନି ।
ଅଭିଯୋଗ ଅନୁସାରେ, କଷ୍ଟମର ଜଣଙ୍କ ଅନଲାଇନରେ ମାର୍ଚ୍ଚ ୧୩ ତାରିଖରେ ୯୨୬ ଟଙ୍କା ଦେଇ ଗ୍ୟାସ୍ ବୁକିଂ କରିଥିଲେ । ଅଥଚ ଗ୍ୟାସ୍ ଦର ୫୦ ଟଙ୍କା ବଢ଼ିବା ପରେ ୨୨ ତାରିଖରେ ସିଲିଣ୍ଡର ଡେଲିଭରି କରାଯାଉଛି । ଏନେଇ ଏଜେନ୍ସିର କର୍ମଚାରୀଙ୍କୁ ପଚାରିଲେ କହୁଛନ୍ତି, ଆପଣଙ୍କ ଅଞ୍ଚଳକୁ ପ୍ରତିଦିନ ଗ୍ୟାସ୍ ଗାଡ଼ି ଯାଉନି । ମଙ୍ଗଳବାର ଓ ଶନିବାର ଗାଡ଼ି ଯାଉଛି । ଅତି ଦରକାର ଥିଲେ ଡିପୋକୁ ଆସି ନେଇ ଯାଆନ୍ତୁ । ତେବେ ଏଚପି ଗ୍ୟାସର ଟାଙ୍ଗୀ ଏଜେନ୍ସି କେବଳ ଏମିତି କରୁନି । ଖୋଦ୍ ରାଜଧାନୀରୁ ବି ଆସିଛି ସମାନ ଅଭିଯୋଗ ।
ଭୁବନେଶ୍ୱରର ମଧୁସୂଦନ ନଗରରେ ରହିଥିବା ସ୍ମାର୍ଟସିଟି ଏଚପି ଗ୍ୟାସ୍ ଏଜେନ୍ସିର ଜଣେ ଗ୍ରାହକ ମାର୍ଚ୍ଚ ୧୪ ତାରିଖରେ ଅନଲାଇନରେ ଟଙ୍କା ଦେଇ ସିଲିଣ୍ଡର ବୁକ୍ କରିଥିଲେ । ବୁକିଂ ପରେ ଲେଖାଥିଲା ୨ରୁ ୩ ଦିନ କାର୍ଯ୍ୟ ଦିବସ ମଧ୍ୟରେ ସିଲିଣ୍ଡର ମିଳିଯିବ । ତାଙ୍କୁ ବି ଦର ବଢ଼ିବା ପରେ ୨୨ ତାରିଖରେ ଗ୍ୟାସ୍ ଯୋଗାଣ ହୋଇଛି । ଏଚପି ଗ୍ୟାସ୍ ଏଜେନ୍ସିର ଏଭଳି ମନମାନି ବିରୋଧରେ ଗ୍ରାହକଙ୍କ ଅସନ୍ତୋଷ ତେଜିବାରେ ଲାଗିଲାଣି ।