କେମିତି ପାଇବେ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ? ଗାଇଡଲାଇନ୍ ଜାରି

ଉତ୍ତରପ୍ରଦେଶ: ଲକ୍ଷଣ ନ ଥିବା କରୋନା ରୋଗୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ହୋମ ଆଇସୋଲେସନ୍ ଗାଇଡଲାଇନ ଜାରି କରିଛନ୍ତି। ଏବେ ଉତ୍ତର ପ୍ରଦେଶରେ କରୋନା ରୋଗୀମାନେ ହୋମ୍ ଆଇସୋଲେସନ୍ ରହିପାରିବେ । କିନ୍ତୁ ଏଥିପାଇଁ ୨୪ ଘଣ୍ଟା ରୋଗୀଙ୍କ ଯତ୍ନ ନେବାକୁ ଜଣେ ବ୍ୟକ୍ତି ରହିବା ଆବଶ୍ୟକ । ହୋମ୍ ଆଇସୋଲେସନ୍ ସମୟରେ ଦେଖାରେଖା କରୁଥିବା ବ୍ୟକ୍ତି ଏବଂ ଡାକ୍ତରଖାନା ମଧ୍ୟରେ ଯୋଗାଯୋଗ ରହିବା ଜରୁରୀ ।
ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ଲକ୍ଷଣ ନଥିବା ରୋଗୀଙ୍କ ଘରେ ସବୁ ପ୍ରକାର ସୁବିଧା ରହିବା ଆବଶ୍ୟକ । କାରଣ ଘରେ ସବୁ ସୁବିଧା ଉପଲବ୍ଧ ଥିଲେ ହିଁ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ମିଳିବ । ଗାଇଡଲାଇନରେ କୁହାଯାଇଛି ଯେ, ଯେଉଁ ରୋଗୀମାନଙ୍କ ଘରେ ହୋମ ଆଇସୋଲେସନ ଏବଂ ପରିବାରକୁ କ୍ୱାରେଣ୍ଟାଇନ୍ କରିବା ପାଇଁ ସୁବିଧା ରହିଛି, ସେମାନଙ୍କୁ ଅନୁମତି ଦିଆଯାଇପାରିବ । ଏହା ସହ ଘରେ ଅତି କମରେ ଦୁଇଟି ଶୌଚାଳୟ ରହିବା ଉଚିତ୍ । ଏଥି ସହିତ, ଯେଉଁ ରୋଗୀଙ୍କ ଏଚ୍ଆଇଭି ସଂକ୍ରମଣ କିମ୍ବା କର୍କଟ ଇତ୍ୟାଦି ରୋଗରେ ପୀଡିତ ଥିବେ ସେମାନଙ୍କୁ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ଦିଆଯିବ ନାହିଁ।
ଉତ୍ତରପ୍ରଦେଶ ସରକାରଙ୍କ ଗାଇଡଲାଇନ ଅନୁସାରେ, କରୋନା ରୋଗୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ହେବ। ସର୍ବଦା ବ୍ଲୁଟୁଥ୍ ଏବଂ ୱାଇଫାଇ ମାଧ୍ୟମରେ ଏହି ଆପ୍ କୁ ସକ୍ରିୟ ରଖିବାକୁ ପଡିବ । ଏହି ଆପ ଦିନକୁ ଦୁଇଥର ଅପଡେଟ୍ କରିବାକୁ ହେବ। ଯଦି ରୋଗୀଙ୍କର ସ୍ମାର୍ଟଫୋନ୍ ନାହିଁ, ତେବେ ସେ ଫୋନ୍ ମାଧ୍ୟମରେ କଣ୍ଟ୍ରୋଲ୍ ରୁମକୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇପାରିବେ । ଏହା ବ୍ୟତୀତ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତ ଆପ୍ ମଧ୍ୟ ଡାଉନଲୋଡ୍ କରିବାକୁ ପଡିବ ।
ହୋମ୍ ଆଇସୋଲେସନ୍ ର ଅବଧି କେବେ ଶେଷ ହେବ ତାହା ନିୟମ ଅନୁସାରେ କୁହାଯିବ । ଏହି ବ୍ୟବସ୍ଥାରେ ରହୁଥିବା କରୋନା ରୋଗୀମାନଙ୍କର ପଜିଟିଭ୍ ହେବାର ୧୦ ଦିନ ମଧ୍ୟରେ ଜ୍ୱର ନଥିଲେ, ସେମାନଙ୍କୁ ହୋମ୍ ଆଇସୋଲେସନ୍ ସମାପ୍ତ କରିବାକୁ କୁହାଯିବ । ଏହା ପରେ ରୋଗୀଙ୍କୁ ୭ ଦିନ ଘରେ ରହିବାକୁ ପଡିବ ।