କେମିତି ଏଡ଼ାଇ ହେବ ରେଳ ଦୁର୍ଘଟଣା, ବାହାନଗା ଟ୍ରାଜେଡି ପରେ ବାଟ ଦେଖାଇଲେ ଯୁବ ଟେକ୍ନସିଆନ

1 min read

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଟ୍ରାକରେ ଇଣ୍ଟର ଲକିଂ ସିଷ୍ଟମକୁ ନେଇ ଜୋରଦାର ଚର୍ଚ୍ଚା ହେବା ସହ ଭୁଲ ସିଗ୍ନାଲକୁ ନେଇ ତଦନ୍ତ ଚାଲିଛି । ଏଭଳି ସ୍ଥିତିରେ ସ୍କିଲଡ ଇନ୍ ଓଡ଼ିଶା ଦେଖାଇଛି ସମସ୍ୟା ସମାଧାନର ବାଟ । ଦକ୍ଷ ଯୁବକ ଯୁବତୀମାନେ ପ୍ରସ୍ତୁତ କରିଛନ୍ତି ଅଟୋମେଟିକ୍ ଇଣ୍ଟରଲକିଂ ସିଷ୍ଟମ । ଯାହା କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରିତ ନହୋଇ ସିଧାସଳଖ ରେଲଓ୍ବେ ଟ୍ରାକରୁ ଅପରେଟ୍‌ ହେବ । ଟ୍ରେନ୍‌ ଆସିଲେ କାହା ଉପରେ ନିଭର୍ର ନକରି ଏହି ଡିଭାଇସ୍ ଜରିଆରେ ଲୋକୋ-ପାଇଲଟଙ୍କୁ ସବୁ କିଛି ସିଗ୍ନାଲ ୧୦ କିଲୋମିଟର ଆଗରୁ ମିଳିବ । ଏହି ମଡେଲକୁ ରେଳବାଇକୁ ଦିଆଯିବ ।

ଭୁବନେଶ୍ବର ବିଶ୍ବ ଦକ୍ଷତା କେନ୍ଦ୍ରରେ ୬ଟି କାଟାଗୋରିରେ ତାଲିମ ଦିଆଯାଉଛି । ମେକାଟ୍ରୋନିକ୍ସ, ମେକାନିକାଲ ଇଲେକ୍ଟ୍ରିକାଲ ସିଷ୍ଟମ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ହେୟାର ଫ୍ୟାସନିଂ, ବିୟୁଟି ଓ୍ବେଲନେସ ଏବଂ ଏୟାର କଣ୍ଡିସନିଂ ଏଣ୍ଡ ରେଫ୍ରିଜେରେସନ ବର୍ଗରେ ୮୦ ଲେଖାଏଁ ପିଲା, ମୋଟ୍‌ ୪୮୦ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି । ସବୁ ବର୍ଗରୁ ନୂଆ ଉଦ୍ଭାବନ, ନୂଆ ପ୍ରକଳ୍ପ, ଭବିଷ୍ୟତର ପ୍ରକଳ୍ପକୁ ନେଇ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଘରେ ଅଲ୍ ଓ୍ବେଦର ଏୟାର କଣ୍ଡିସନିଂ, ଘର ଭିତରେ କେବଳ ବିଛଣା ପାଇଁ ଏସି ସିଷ୍ଟମ, ଲିଫ୍ଟ ଟେକ୍ନୋଲୋଜିର କୌଶଳ ପ୍ରଦର୍ଶନ କରାଯାଉଛି ।

ଏୟାର କଣ୍ଡିସନିଂ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ଟେକ୍ନୋଲୋଜି ପ୍ରଦର୍ଶନ କରାଯାଉଛି । ବିଶ୍ବସ୍ତରର ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ଯୁବକ ଯୁବତୀମାନେ କମାଲ କରୁଛନ୍ତି । ସବୁ କ୍ଷେତ୍ରରେ ପରାକାଷ୍ଠା ଦେଖାଇଛନ୍ତି ଯୁବ ଟେକ୍ନସିଆନ । ସ୍କିଲଡ୍ ଇନ୍ ଓଡ଼ିଶା ବିଶ୍ବରେ ଏକ ବ୍ରାଣ୍ଡ୍ ଭାବେ ପରିଚୟ ପାଇଛି ।