spot_img

Latest Posts

ସଫେଦ୍‌ କମିଜ୍‌ରେ ଦାଗ ଓ ସେଇ ୭ ଦିନ: ନୀତିଶ ଯେତେବେଳ କ୍ଷମତା ପାଇଁ ମାଫିଆ ସହ କଲେ ସନ୍ଧି..

(ବିହାର ଭାରତୀୟ ରାଜନୀତିର ଲାବ୍ରୋଟୋରୀ । ବିହାର ସୋସିଆଲ ଇଂଜିନିୟରିଂର ଏନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ, ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି, ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡ଼ିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ତୃତୀୟ ଅଧ୍ୟାୟରେ ପଢନ୍ତୁ.. କେମିତି କ୍ଷମତା ପାଇଁ ମାଫିଆର ସମର୍ଥନ ନେବାକୁ ମଧ୍ୟ ପଛାଇ ନଥିଲେ ନୀତିଶ ଏବଂ ମାତ୍ର ୭ ଦିନରେ କାହିଁକି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ବିକାଶ କୁମାର…)

୧୯୯୫ର ନିର୍ବାଚନ ନୀତିଶଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ଲାଲୁ ତାଙ୍କ ଚ୍ୟାଲେଂଜରକୁ ଖୋଜୁଥିଲେ । ନୀତିଶ ବିହାରରୁ ଦିଲ୍ଲୀ ଓ ଦିଲ୍ଲୀରୁ ବିହାର ଅପଡାଉନ୍ ହେଉଥିଲେ । ତେବେ ବର୍ଷ ୨୦୦୦ ଆସୁ ଆସୁ ଲାଲୁ ଜାଣି ସାରିଥିଲେ ଚେଲା ଗୁରୁକୁ ତା’ରି ଚାଲରେ ମାତ୍ ଦେବାର କୌଶଳ ଧିରେ ଧିରେ ଶିଖିଗଲାଣି ।

ଏହା ସହ ପଢ଼ନ୍ତୁ Episode No.2- ୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟ୍‌କା, ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡ଼ିଗଲେ…

ଫରକ୍‌ ବାସ୍‌ ଏତିକି ଥିଲା ଯେ, କେବେ ବିହାରର କର୍ପୁରୀ ଠାକୁରଙ୍କୁ ପଛପଟେ ‘କପଟି ଠାକୁର’ କହୁଥିବା ଲାଲୁ ୧୦ ବର୍ଷ ଧରି ରାଜ୍ କରି ଆସୁଥିଲେ । ତାଙ୍କ ପାଖରେ ଶାସନ କଳ ଥିଲା । ସେ ଶାହ ଆଉ ମାତ୍‌ର ଖେଳରେ ମାହିର ଥିଲେ । ତାଙ୍କ ଭଳି ବିହାରୀ ଚାଲରେ ନୀତିଶ କିନ୍ତୁ ମାହିର ହୋଇନଥିଲେ । ତାଙ୍କୁ ଏଥିପାଇଁ ସମୟ ଲାଗୁଥିଲା, କିନ୍ତୁ ସେ ସିଖୁଥିଲେ । କେତେ ଶିଖୁଥିଲେ ତାହା ୨୦୦୦ ଆସୁ ଆସୁ ସ୍ପଷ୍ଟ ହୋଇଯାଇଥିଲା । ସତ୍ତା ପାଇଁ ନୀତିଶ ବି ଧଳା କମିଜ୍ ଉପରେ ଦାଗ ଲଗାଇବାକୁ ପ୍ରସ୍ତୁତ ଥିଲେ । ତାଙ୍କୁ ଧିରେ ଧିରେ ଦାଗୀ ଓ ଦାଗ ଭଲ ଲାଗିବାରେ ଲାଗୁଥିଲା । କିନ୍ତୁ ଦାଗଦାରଙ୍କୁ ସେ ସର୍ବସମ୍ମୁଖରେ ଭେଟୁନଥିଲେ । କାରଣ, ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେବାର ଭୟ ମଧ୍ୟ ଥିଲା ।

brothers bihari

୧୯୯୫ ମସିହାର ଫଳାଫଳ ନୀତିଶଙ୍କୁ ସ୍ତବ୍ଧ କରି ଦେଇଥିଲା । ଏହାପରେ ସେ ୧୯୯୬, ୧୯୯୮ ଓ ୧୯୯୯ରେ ଲୋକସଭା ନିର୍ବାଚନ ଯିତି ଦିଲ୍ଲୀରେ ମନ୍ତ୍ରୀପଦରେ ବସିବାକୁ ଚାଲିଗଲେ । ଏହାରି ଭିତରେ ୨ ହଜାର ମସିହାରେ ବିହାର ନିର୍ବାଚନ ହୋଇଥିଲା । ଏହି ନିର୍ବାଚନ ପରେ ପରେ କ୍ଷମତା ହାତେଇବା ପାଇଁ ଏମିତି ଖେଳ ନୀତିଶ ଖେଳିଥିଲେ ଯାହାକୁ ଦେଖି ଲାଲୁଙ୍କୁ ଆଭାସ ହୋଇଥିଲା ଯେ, ତାଙ୍କ ଚେଲା ରାଜନୈତିକ ଚାଲ ଚଲାଇବାରେ ପୁରା ନହେଲେ ବି ମାହିର ହୋଇଗଲାଣି ।

Lalu Prasad & Nitish Kumar (10)

ସେଥର ନିର୍ବାଚନରେ ‘ନୀତିଶ ଆଣ୍ଡ୍‌ କୋ’ର ଥିମ୍ ଥିଲା ଲାଲୁଙ୍କ ଜଙ୍ଗଲ ରାଜ୍ । କିନ୍ତୁ ଲାଲୁ ଥିଲେ ଲାଲୁ । ସେ ବାଜି ହିଁ ପଲଟାଇ ଦେଇଥିଲେ । ଜଙ୍ଗଲରାଜ୍‌ର ଲାଂଛନାକୁ ସେ ନିଜ ପ୍ରଚାର ହତିଆର କରିଥିଲେ । ଭୋଟରଙ୍କୁ ପଚାରିଥିଲେ ବିହାର କ’ଣ ଜଙ୍ଗଲ ? ଆଉ ଆପଣ ମାନେ କ’ଣ ଜଙ୍ଗଲରେ ଥିବା ପଶୁ ? ବାସ୍‌ ଏତିକିରେ ଲାଲୁଙ୍କ ବାଜି କାମ କରିଥିଲା । ଲାଲୁଙ୍କୁ ମିଳିଥିଲା ୧୨୪ ଆସନ । ନୀତିଶ ଓ ଏନ୍‌ଡିଏ ମେଣ୍ଟକୁ ମିଳିଥିଲା ୧୨୨ ଆସନ । ଏନଡିଏକୁ ସମର୍ଥନ କରୁଥିବା ଦଳଙ୍କ ସମର୍ଥନ ପରେ ଏହି ସଂଖ୍ୟା ୧୫୯ରେ ପହଂଚିଥିଲା । ୩୨୪ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ୍ ନମ୍ବର ଥିଲା ୧୬୩ । ତେବେ ଗୋଟିଏ କଥା ନୀତିଶଙ୍କ ପକ୍ଷରେ ଥିଲା । ତାହା  ଥିଲା କେନ୍ଦ୍ରର ଏନଡିଏର ସରକାର ।  ରାଜ୍ୟପାଳ ବିନୋଦ ପାଣ୍ଡେଙ୍କୁ ନୂଆଦିଲ୍ଲୀରୁ ଆଦେଶ ମିଳିଲା । ନୀତିଶଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କର । ପାଣ୍ଡେ ଆଜ୍ଞାର ପାଳନ କଲେ । ବିରୋଧ ଭିତରେ ନୀତିଶ ୩ ମାର୍ଚ୍ଚ ୨୦୦୦ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ ।

Mohammad-Shahabuddin
ସିୱାନର ଆତଙ୍କ ଶାହାବୁଦ୍ଦିନ୍, ଲାଲୁଙ୍କ ମସଲ ପାୱାର

ଲାଲୁଙ୍କ ଶାହାବୁଦ୍ଦିନ ବନାମା ନୀତିଶଙ୍କ ସୁରଜ

ଏହାପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଘୋଡ ବେପାର ଆରମ୍ଭ ହୋଇଥିଲା । ନୀତିଶଙ୍କ ପାଖରେ ୭ଦିନ ଥିଲା ସରକାର ବଂଚାଇବା ପାଇଁ । ଲାଲୁଙ୍କ ପାଖରେ ୭ ଦିନ ଥିଲା ଚେଲାକୁ ଗାଦିଚ୍ୟୁତ କରିବାକୁ । ପଲିଟିକାଲ ଗେମ୍ ଆରମ୍ଭ ହୋଇ ସାରିଥିଲା । ସଂକର୍ଷଣ ଠାକୁରଙ୍କ ଦି ବ୍ରଦର୍ସ ବିହାରୀ ଅନୁସାରେ ଏଇଠି ଦେଖିବାକୁ ମିଳିଥିଲା ଲାଲୁଙ୍କ ମସଲ ପାୱାର । ମାଫିଆ ଡନ୍ ମହମ୍ମଦ ଶାହବୁଦ୍ଦିନ୍ ପାଟନାର ଏକ  ସରକାରୀ ହୋଟେଲରେ ବନ୍ଧୁକ ମୁନରେ ୮ ଜଣ କଂଗ୍ରେସ ବିଧାୟକଙ୍କୁ ଅଟକ ରଖିଥିଲା ।

ଏହା ସହ ପଢ଼ନ୍ତୁ Episode No.1 –  ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ…

ସେପଟେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନରେ ବାହାରିଥିବା ଲାଲୁ ସୋନିଆଙ୍କ ବିଶ୍ୱସ୍ତ ଅହମ୍ମଦ ପଟେଲଙ୍କୁ ବାରମ୍ବାର ଫୋନ୍ କରି ଧର୍ମ ନିରପେକ୍ଷତା ବିପଦରେ ଅଛି, ମୋତେ ସାହାଯ୍ୟ କର, ରାବଡ଼ୀକୁ ସାହାଯ୍ୟ କର ବୋଲି ଅପିଲ କରୁଥିଲେ । ଏଣେ ସାହାବୁଦ୍ଦିନ୍ ପାଟଳିପୁତ୍ର ହୋଟେଲରେ ଅଣ୍ଟାରେ ବନ୍ଧୁକ ଗେଂଜି ପଇଁତରା ମାରୁଥିଲା । ତା’ର ପିଲାମାନେ ଲାଲୁଙ୍କ ସେହି ଦୁଇ ଡର୍ଜନ ବିଧାୟକଙ୍କ ଉପରେ ନଜର ରଖିଥିଲେ ଯେଉଁମାନଙ୍କ ବଫାଦାରୀ ପ୍ରଶ୍ନ ଘେରରେ ଥିଲା ।

ବିହାରରେ ଖେଳ ଆରମ୍ଭ ହୋଇ ସାରିଥିଲା.. ବାସ୍ କିଏ କେମିତି ଖେଳୁଛି ତାହା ଉପରେ ସବୁ ନିର୍ଭର କରୁଥିଲା.. ଲାଲୁଙ୍କ ମେସିନ୍ କାମ କରୁଥିବା ବେଳେ ନୀତିଶ କ’ଣ କରୁଥିଲେ ? ତାହା ଗରୁତ୍ୱପୂର୍ଣ୍ଣ ଥିଲା ।

Lalu Prasad & Nitish Kumar (10)

ନୀତିଶ ମଧ୍ୟ ସଫେଦ କମିଜ୍‌ ଉପରେ ଦାଗ ଲଗାଇବାକୁ ତୟାର ହୋଇ ସାରିଥିଲେ । ଚୌକି ବଂଚାଇବା ପାଇଁ ସେ ସାଲିସ କରିବାକୁ ପ୍ରସ୍ତୁତ ଥିଲେ । ତେବେ କାଦୁଅ ଭିତରକୁ କେତେ ପଶିବେ ସେନେଇ ଦ୍ୱିଧାରେ ଥିଲେ । ଶକ୍ତି ପ୍ରୟୋଗ କରିବାକୁ ସେ ଅରାଜି ନଥିଲେ କିନ୍ତୁ ନିଜ ହାତ ମଇଳା କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ତାଙ୍କୁ କୁହାଯାଇଥିଲା ଯେ, ଅନେକ ବାହୁବଳୀ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଯିତିଛନ୍ତି ।

ଆଉ ସେମାନେ ସେଇ ମାଫିଆଙ୍କ ସୁଶାସନ ପାଇଁ ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ । ମାଫିଆର ତାଲିକା ଲମ୍ବା ଥିଲା । ମୋକମାର ଠିକାଦାର ମାଫିଆ ସୁରଜଭାନ୍‌, ପିରୋର ସୁନିଲ ପାଣ୍ଡେ, ବନିଆପୁରର ଧୁମଲ୍‌, ରାଜନ୍‌ ତିୱାରୀ, ମୁନା ତିୱାରୀ ଓ ରମା ସିଂହ, ଏସମସ୍ତେ ବିହାରକୁ ସୁଶାସନ ଦେବାକୁ ନୀତିଶଙ୍କ ସହ ଛିଡା ହେବାକୁ ରାଜି ଥିଲେ । ନୀତିଶଙ୍କ ମନ ଅସ୍ଥିର ଥିଲା । ତାଙ୍କ ସ୍ୱପ୍ନ ପୁରା ହେବାକୁ ଯାଉଥିଲା । ଏହି ଅପରାଧୀ ମାନେ ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ ଥିଲେ । ଜେଲ ଭିତରୁ ଅଫର ଦେଉଥିଲେ । କିନ୍ତୁ ନୀତିଶ ସଂଶୟ ଭିତରେ ଥିଲେ । କେମିତି ସେ ଏହି ଅପରାଧୀଙ୍କୁ ନିଜ କ୍ୟାବିନେଟରେ ସାମିଲ କରିବେ ? କ୍ଷମତାର ଲୋଭ ସହ ସଫେଦ କମିଜ ଉପରେ ଦାଗ ଲାଗିବାର ଡର, ନୀତିଶଙ୍କୁ ଅସ୍ଥିର କରୁଥିଲା ।

surajvan
ମାଫିଆ ଡନ୍ ସୁରଜ ଭାନ୍

ଅପରାଧୀଙ୍କ ସହ ଫଟୋ ସେୟାର କରିବାକୁ ଚାହୁଁନଥିଲେ ନୀତିଶ । ଏମିତିରେ ନୀତିଶଙ୍କ ପାଇଁ ତାରଣହାର ଭାବେ ଉଭା ହେଲେ ବିହାର ବିଜେପିର ଭିଷ୍ମ ପିତାମହ କୈଳାଶପତି ମିଶ୍ର । ସେ ଏହି ଅପରାଧୀଙ୍କୁ ନୀତିଶଙ୍କ ପଟକୁ ଆଣିବା ଦାୟିତ୍ୱ ନେଲେ । ଶକ୍ତିପରୀକ୍ଷଣ ଦିନ ବିହାରର ଏହି କୁଖ୍ୟାତ ଅପରାଧୀ ମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭିତରକୁ ପ୍ରବେଶ କଲେ । ସେମାନେ ନୀତିଶ କୁମାର ଜିନ୍ଦାବାଦର ନାରା ଲଗାଉଥିଲେ । ଆଉ ହଁ, ନୀତିଶଙ୍କୁ ଯାହାର ଡର ଥିଲା ସେଇଆ ହିଁ ହୋଇଥିଲା । ସେହି କୁଖ୍ୟାତ ଅପରାଧୀ ମାନେ ନିଜ ସହ ଫଟୋ ଗ୍ରାଫର ମଧ୍ୟ ଆଣିଥିଲେ । ନୀତିଶଙ୍କ ସହ ମିଳନର ସେହି ମୁହୁର୍ତ୍ତ ସବୁ କ୍ୟାମେରାରେ କଏଦ୍ ହୋଇଗଲା । ନୀତିଶଙ୍କ କମିଜରେ ଦାଗ ଲାଗି ସାରିଥିଲା । କିନ୍ତୁ..

ଲାଲୁଙ୍କ ବିରୋଧରେ ଶଳା !

ବାହୁବଳ ଓ ଧନବଳରେ ନୀତିଶଙ୍କୁ ପ୍ରତି ପାହାଚରେ ଚେକମେଟ୍ କରୁଥିଲେ ଲାଲୁ । ନୀତିଶ ଓ ରାମ ବିଳାଶ ପାଶ୍ୱାନ ବିଏସପି ବିଧାୟକ ସୁରେଶ ପାସିଙ୍କ ସମର୍ଥନ ପାଇଁ ତାଙ୍କ ଘରକୁ ଯିବା ବେଳେ ସେଠାରେ ଆଗରୁ ଲାଲୁ ପାହଞ୍ଚି ସାରିଥିଲେ । ସେହିଭଳି ଲାଲୁଙ୍କ ଶଳା ପପୁ ଯାଦବ ନିତୀଶଙ୍କୁ ଭିତିରି ସମର୍ଥନ ଦେଉଥିଲେ । କଂଗ୍ରେସ ବିଧାୟକଙ୍କୁ ନୀତିଶଙ୍କ ସପକ୍ଷରେ ଆଣିବା ପାଇଁ ଲାଗିଥିଲେ କାମରେ । ତେବେ ପପୁ କଂଗ୍ରେସ ବିଧାୟକ ରହୁଥିବା ହୋଟେଲକୁ ଯିବାର କେଇ ମିନଟ୍ ଭିତରେ ସେଠାରେ ଲାଲୁ ମଧ୍ୟ ପହଂଚିଯାଇଥିଲେ । ଫଳରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ, ପପୁଙ୍କୁ ବାଥରୁମ୍‌ରେ ଶରଣ ନେବାକୁ ପଡ଼ିଥିଲା । ୧୨ ଅପରାଧୀଙ୍କ ସମର୍ଥନ ମଧ୍ୟ ନୀତିଶଙ୍କୁ ବହୁମତ ଦେଉନଥିଲା ।

papu-yadav
ଲାଲୁଙ୍କ ଶଳା, ଯିଏ ନୀତିଶଙ୍କୁ ଗାଦିରେ ଦେଖିବାକୁ ଚାହୁଁଥିଲେ

ଏହାରି ଭିତରେ ଆସିଲା ୧୦ ମାର୍ଚ୍ଚ । ନୀତିଶ ବିଧାନସଭାରେ ବଜେଟ୍ ରଖିଲେ ଓ ତା’ପରେ ଇସ୍ତଫା ଦେଇଦେଲେ । ରାବଡୀ ଦେବୀ ପୁଣିଥରେ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ । ଆଉ ନୀତିଶ.. ନିଜ ଅଭ୍ୟାସ ମୁତାବକ ଦିଲ୍ଲୀ ଉଡିଗଲେ… ଏହାର ୫ ବର୍ଷ ପରେ ନୀତିଶ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିଲେ । ୧୦ ବର୍ଷର ବିଦ୍ରୋହ ତା’ର ନିର୍ଣ୍ଣାୟକ ମୋଡ଼ରେ ପହଂଚିବାକୁ ଯାଉଥିଲା । ସେ କାହାଣୀ ଚତୁର୍ଥ ଅଧ୍ୟାୟରେ…

Latest Posts

Don't Miss