ଜାଣନ୍ତୁ କେତେ ଟଙ୍କାର ମାଲିକ ଭୋଲେ ବାବା?

ନନ୍ଦିଘୋଷ ବ୍ୟୁରୋ: ହାଥରସର ଦଳାଚକଟା ଘଟଣା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ବାବାଙ୍କ ସତସଙ୍ଗରେ ଯୋଗ ଦେବାକୁ ଯାଇ ଶତାଧିକ ଲୋକଙ୍କ ମୃତ୍ୟୁ ଖବର ବେଶ ହତୋତ୍ସାହିତ କରିଛି । ଆତ୍ମଘୋଷିତ ବାବା ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅଢ଼େଇ ଲକ୍ଷରୁ ଅଧିକ ଲୋକ । ତେବେ କିଏ ଏହି ଭୋଲେ ବାବା? ସେ କେତେ ଟଙ୍କାର ମାଲିକ? କାହିଁକି ଏତେ ସଂଖ୍ୟାରେ ଯୋଗ ଦେଇଥିଲେ ଶ୍ରଦ୍ଧାଳୁ । ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥିବାବେଳେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ କି ସୂରଜ ପାଲ ଓରଫ ଭୋଲେ ବାବାର ରହିଛି ୧୦୦କୋଟିର ସମ୍ପତ୍ତି । ୨୪ଟି ବିଳାସପୂର୍ଣ୍ଣ ଆଶ୍ରମ ରହିଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଶ୍ରମରେ ଲାଗିଛି ସୁନାର ଫାଟକ । ଆଶ୍ରମ ଭିତରେ ମିଳୁଛି ଫାଇଭଷ୍ଟାର ହୋଟେଲର ସୁବିଧା । ମୈନପୁରୀରେ ଥିବା ଆଶ୍ରମ ପଞ୍ଚତାରକା ହୋଟେଲ ସଦୃଶ । ୧୩ ଏକର ଜମିରେ ପ୍ରାୟ ୪କୋଟି ଟଙ୍କାରେ ନିର୍ମିତ ଭବ୍ୟ ଆଶ୍ରମ । ଆଶ୍ରମରେ ଥିବା ୬ଟି କୋଠରୀ କେବଳ ଭୋଲେ ବାବା ଓ ତାଙ୍କ ପତ୍ନୀଙ୍କ ପାଇଁ ରହିଥିଲା । ମୈନପୁରୀ ବ୍ୟତୀତ ଆଗ୍ରା, କାନପୁର, ଗ୍ବାଲିୟର ଏବଂ କସରଗଞ୍ଜରେ ମଧ୍ୟ ରହିଛି ଆଶ୍ରମ । ସୈଖୀନ ଦାମୀ କାର, ଥ୍ରୀ ପିସ୍ ସୁଟ୍, ଟାଇ ଓ ଷ୍ଟାଇଲିସ ଚଷମା ସହ ଶ୍ରଦ୍ଧାଳୁଙ୍କ ଗହଣରେ ଏଣ୍ଟ୍ରି କରୁଥିଲେ ଭୋଲେ ବାବା । ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ ଏକାଧିକ ବଳଶାଳୀ ଲୋକ ।

ସୂଚନା ଥାଉକି, ଜୁଲାଇ ୨ରେ ହାଥରସରେ ହୋଇଥିବା ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ଜୀବନ ଯାଇଛି। ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଜୁଲାଇ ୨ରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା। କାର୍ଯ୍ୟକ୍ରମ ଶେଷରେ ବାବାଙ୍କ ପାଦଧୂଳି ନେବାକୁ ଲୋକଙ୍କ ଠେଲାପେଲା ଦଳାଚକଟା ରୂପ ନେଇଥିଲା ଘଟଣାର ପରଦିନ ଠାରୁ ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। ଘଟଣାରେ ଗତକାଲି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବ ପ୍ରକାଶ ମଧୁକରକୁ ଗିରଫ କରିଛି ପୋଲିସ। ଆତ୍ମସମର୍ପଣ ପରେ ତାକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଦେବ ପ୍ରକାଶ ମଧୁକର ସମ୍ପର୍କରେ ସୂଚନା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଉତ୍ତରପ୍ରଦେଶ ପୋଲିସ।