ଉତ୍ତରପ୍ରଦେଶରେ ମହିଳା ବିରୋଧୀ ହିଂସାକୁ ନେଇ କେତେ ଥର ପ୍ରଶ୍ନ କରିଛନ୍ତି ଜାତୀୟ ମହିଳା କମିଶନ ?

1 min read

ଭୁବନେଶ୍ୱର: ଜାତୀୟ ମହିଳା କମିଶନଙ୍କୁ ସମାଲୋଚନା। ମମିତା ମେହେର ହତ୍ୟା ମାମଲାର ତଦନ୍ତ ନସରୁଣୁ ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ସେ ଅଭିଯୋଗ କରିଛନ୍ତି, ଜାତୀୟ ମହିଳା କମିଶନଙ୍କ ରାଜନୀତିକରଣ କରାଯାଉଛି। ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଏଭଳି ସମୟରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ଠିକ୍ ନୁହେଁ ବୋଲି କହିଛନ୍ତି ସୁଲତା। ୟୁପି, ବିହାର, ମଧ୍ୟ ପ୍ରଦେଶ ଓ ଆସାମରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ଦ୍ରୁତ ଗତିରେ ବଢି ଚାଲିଛି। ଏସବୁ ରାଜ୍ୟରେ କେତେ ଜଣ ମନ୍ତ୍ରୀଙ୍କୁ ବହିଷ୍କାର ପାଇଁ ଜାତୀୟ ମହିଳା କମିଶନ ପରାମର୍ଶ ଦେଇଛନ୍ତି ବୋଲି ସୁଲତା ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜାତୀୟ. ମହିଳା କମିଶନଙ୍କ ଟ୍ୱିଟକୁ ନେଇ ବିଜେଡି ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି। ଟ୍ୱିଟ୍ କରି ଜାତୀୟ ମହିଳା କମିଶନ ମମିତା ମେହର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ। ଗୋଟିଏ ରାଜନୈତିକ ଦଳ ଭଳି ଜାତୀୟ ମହିଳା କମିଶନ କେମିତି ଅବାନ୍ତର ଦାବି କରିଛନ୍ତି। ଜାତୀୟ ମହିଳା କମିଶନ ଏକ ସାମ୍ବିଧାନିକ ସଂସ୍ଥା। କିନ୍ତୁ ମହିଳା କମିଶନ୍ କେମିତି ମମିତା ଘଟଣାରେ ଦୁଇ ଜଣ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ଆଇନ ଅନୁସାରେ ତଦନ୍ତ ସରିବା ପରେ ଅଭିଯୁକ୍ତ ସଂପର୍କରେ ଅଦାଲତ ଦୋଷୀ ସାବ୍ୟସ୍ତ କରନ୍ତି।

କିନ୍ତୁ କିଛି ଘୃଣାକଥା ଆଧାରରେ ଜାତୀୟ ମହିଳା କମିଶନଙ୍କ ଏଭଳି ମନ୍ତବ୍ୟ ଏକ ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଆଡକୁ ଆଙ୍ଗୁଳି ଉଠାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଜାତୀୟ ମହିଳା କମିଶନ ରାଜନୈତିକ ଦଳର ହାତବାରିଶି ଭଳି କାମ କରୁଥିବା ଚର୍ଚ୍ଚା ହେଉଛି। ମମିତା ମାମଲାରେ ନାଁ ଅଭିଯୋଗ ପତ୍ରରେ କୌଣସି ମନ୍ତ୍ରୀଙ୍କ ନାଁ ଉଲ୍ଲେଖ ଅଛି ନାଁ ଅଭିଯୁକ୍ତ କୌଣସି ମନ୍ତ୍ରୀଙ୍କ ନାଁ ନେଇଛନ୍ତି ନା ତଦନ୍ତ ବେଳେ କୌଣସି ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ଏଭଳି କ୍ଷେତ୍ରରେ ଜାତୀୟ ମହିଳା କମିଶନଙ୍କ ବିବୃତ୍ତି ଅନୁଷ୍ଠାନର ଗାରିମାକୁ କ୍ଷୂର୍ଣ୍ଣ କରୁଛି ବୋଲି ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ୟୁପି, ମଧ୍ୟପ୍ରଦେଶ, ବିହାର, ଓ ଆସାମ ଭଳି ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସର୍ବାଧିକ ରହିଛି। କିନ୍ତୁ ମହିଳା କମିଶନ ଏସବୁ ରାଜ୍ୟରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ ସମ୍ପର୍କରେ କେବେ କେଉଁଠି ପଦେ କହିନାହାନ୍ତି ବା କୌଣସି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିନାହାନ୍ତି।

Leave a Reply