ଉତ୍ତରପ୍ରଦେଶରେ କରୋନା ପିଡିତଙ୍କୁ ମିଳିଲାନି ଚିକିତ୍ସା, ୫୦ ହଜାର ଟଙ୍କା ଦେଇ ଆମ୍ବୁଲାନ୍ସରେ ଗଲେ…

ହୁଗଲି: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଉତ୍ତରପ୍ରଦେଶରେ ମଧ୍ୟ କରୋନାର କାୟା ଦେଖିବାକୁ ମିଳିଛି । କରୋନା ସଙ୍କଟ ବେଳେ ଅକ୍ସିଜେନର ଅଭାବ ପରିଲିକ୍ଷିତ ହୋଇଛି । ଏଭଳି ସମୟରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରହୁଥିବା ଜଣେ ଦମ୍ପତି ଏକ ହୃଦୟ ବିଦାରକ ଦୃଶ୍ୟ ବଖାଣିଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ବାସିନ୍ଦା ଜଣେ ଦମ୍ପତ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । କରୋନା ଆକ୍ରାନ୍ତ ସ୍ୱାମୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ବେଳେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ମିଳିପାରିନଥିଲା । ଏଭଳି ପରିସ୍ଥିତିରେ ସମ୍ପୃକ୍ତ ଦମ୍ପତ୍ତି ପଶ୍ଚିମବଙ୍ଗର ହୁଗୁଳିରେ ରହୁଥିବା ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ । ସେମାନଙ୍କ ଠାରୁ ଆଶ୍ୱାସନା ପାଇବା ପରେ ସେ ସ୍ୱାମୀଙ୍କୁ ଆମ୍ବୁଲାନ୍ସରେ ଧରି ହୁଗୁଲିର ଚୁଚୁଡାରେ ପହଞ୍ଚିଥିଲେ । ଆଉ ଯେଉଁଥିପାଇଁ ତାଙ୍କୁ ଦେବାକୁ ପଡିଥିଲା ୫୦ ହଜାର ଟଙ୍କା ।

ଯେଉଁ ଜୀବନ ତାଙ୍କୁ ଉତ୍ତରପ୍ରଦେଶର ଡାକ୍ତରଖାନାରେ ମିଳିପାରିନଥିଲା ତାହା ଚୁୁଚୁଡାର ଅଜନ୍ତା କୋଭିଡ଼ ହସ୍ପିଟାଲ୍ ଦେଇଥିଲା । ଏନେଇ ପିଡିତ ଦମ୍ପତ୍ତି ଲାଲଜୀ ଓ ରେଖା ଯାଦବଙ୍କ ସମ୍ପର୍କୀୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଚିକିତ୍ସା ବ୍ୟବସ୍ଥା ଏକପ୍ରକାର ଦୋହଲିଯାଇଛି । କରୋନା ମହାମାରୀ ସମୟରେ ସେଠାରେ ଲୋକଙ୍କୁ ସଠିକ୍ ଚିକିତ୍ସା ମିଳୁନଥିବା ବେଳେ ଜୀବନଦାୟୀ ଅକ୍ସିଜେନର ମଧ୍ୟ ମିଳୁନି ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply