ହୀରାକୁଦରେ କମୁଛି ଜଳସ୍ତର, ଦିନ ୩ଟା ପରେ ବନ୍ଦ ହୋଇପାରେ ୬ଟି ଗେଟ୍

1 min read

ଭୁବନେଶ୍ୱର: ଆଜି ଦିନ ୩ଟା ପରେ ହୀରାକୁଦର କିଛି ଗେଟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇପାରେ । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଗେଟ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯିବ । ଗତକାଲିଠୁ ମହାନଦୀ ଉପର କି ତଳ ମୁଣ୍ଡରେ ବର୍ଷା ହୋଇନାହିଁ । ମହାନଦୀକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୪.୪୩ଫୁଟ ରହିଛି । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦ ଜଳସ୍ତର ୬୨୨ଫୁଟରେ ରଖିବାକୁ ଚେଷ୍ଟା କରାଯିବ । ସେହିପରି ମୁଣ୍ଡଳୀରେ ବି ଜଳସ୍ତର କମିଛି । ଏବେ ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲିଠୁ କୌଣସି ନୂଆ ଘାଇ ସୃଷ୍ଟି ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଥିବା ଏସଆରସି କହିଛନ୍ତି । ଏବେସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି। ସେନେଇ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ମିମି ବର୍ଷା ହେବା ନେଇ ଆକଳନ କରାଯାଉଛି । ସେତିକି ବର୍ଷା ହେଲେ ୫ ଲକ୍ଷରୁ ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ମହାନଦୀକୁ ଆସିବ । ମୁଣ୍ଡଳୀରେ ଏହି ଫ୍ଲୋ ୭ରୁ ୮ ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଉଦ୍ୟମ କରାଯିବ । ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ବଡ଼ ସମସ୍ୟା ହେବନି । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବା ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁରକୁ ସତର୍କ କରାଯାଇଛି । ତେଣୁ ମୟୁରଭଞ୍ଜର ସମସ୍ତ ଜଳଶଯ୍ୟାଗୁଡିକୁ ଖାଲି କରାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା ।