ଖୋଲିଲା ହୀରାକୁଦ ଗେଟ୍, ୭ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ସମ୍ୱଲପୁର: ଖୋଲିଲା ହୀରାକୁଦ ଗେଟ୍। ଜଳଭଣ୍ଡାରରୁ ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟରୁ ଛଡ଼ା ଯାଇଥିଲା ବନ୍ୟାଜଳ। ଏବେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ। ପର୍ଯ୍ୟାୟ କ୍ରମେ ହୀରାକୁଦରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯିବ। ଏବେ ଜଳସ୍ତର ୬୧୭ ଫୁଟ ଉପରେ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୮୫୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୪୫ ହଜାର ୭୧୭ ଘନଫୁଟ ବନ୍ୟାଜଳ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଆଜି ହୀରାକୁଦରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ହୀରାକୁଦ ଗେଟ୍ ଖୋଲିବା ପରେ ସତର୍କତା ଜାରି କରିଛନ୍ତି ଏସଆରସି। ଲୋକଙ୍କୁ ସଚେତନ ପାଇଁ ୭ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ମହାନଦୀକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି।