ହିନ୍ଦୁ ଠାକୁର ବ୍ରାହ୍ମଣ ନୁହଁନ୍ତି: ଜେଏନୟୁ କୁଳପତି

ନୂଆଦିଲ୍ଲୀ: ହିନ୍ଦୁଙ୍କର କୌଣସି ଦେବତା ବ୍ରାହ୍ମଣ ନୁହନ୍ତି । ଭଗବାନ ଶିବ ହେଉଛନ୍ତି ଦଳିତ କିମ୍ବା ଆଦିବାସୀ । ଏମିତି ଦାବି କରିଛନ୍ତି ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୂଲିପୂଡ଼ି । ସେ କହିଛନ୍ତି ଯେ, ଭଗବାନ ଶ୍ରୀଜଗନ୍ନାଥ ହେଉଛନ୍ତି ଆଦିବାସୀ । ଜେଏନୟୁ କୁଳପତିଙ୍କର ଏଭଳି ବୟାନ ଗଣମାଧ୍ୟମ ପାଇଁ ପାଲଟିଛି ବଡ଼ ଖବର ।

ନୂଆଦିଲ୍ଲୀରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଆମ୍ବେଦକର ସ୍ମାରକୀ ବତ୍କୃତାରେ ପ୍ରଫେସର ଧୂଳିପୁଡ଼ି କହିଛନ୍ତି, ଜାତିବାଦକୁ ନେଇ ଆମେ ଆଜି ବି ଭେଦଭାବ କରୁଛୁ । ମାତ୍ର ମାନବଶାସ୍ତ୍ର କିମ୍ବା ବୈଜ୍ଞାନିକ ଆଧାରକୁ ଦେଖିଲେ କୌଣସି ଦେବତା ବ୍ରାହ୍ମଣ ନୁହଁନ୍ତି । ମହାଦେବ ଶିବ ହେଉଛନ୍ତି ଦଳିତ କିମ୍ବା ଆଦିବାସୀ ଶ୍ରେଣୀର ।

ଶ୍ମଶାନରେ ବେକରେ ସାପ ଗୁଡ଼ାଇ ରହୁଥିବା ଠାକୁର କେବେ ହେଲେ ବ୍ରାହ୍ମଣ ନୁହନ୍ତି । ବ୍ରାହ୍ମଣ କୌଣସି ପରିସ୍ଥିତିରେ ଶ୍ମଶାନରେ ବସି ପାରିବେନି ବୋଲି କୁଳପତି ଯୁକ୍ତି ବାଢ଼ିଛନ୍ତି । ମନୁସ୍ମୃତି ଅନୁସାରେ ସବୁ ମହିଳା ଶୁଦ୍ର ବୋଲି ପ୍ରଫେସର ପଣ୍ଡିତ ଧୂଳିପୁଡ଼ି ଯୁକ୍ତି କରିଛନ୍ତି । ସେ କହିଛନ୍ତି, ମହିଳାଙ୍କୁ ପିତା ଏବଂ ବିବାହ ପରେ ସ୍ବାମୀଙ୍କ ଜରିଆରେ ଜାତି ମିଳିଥାଏ । ବାସ୍ତବରେ ସବୁ ମହିଳା କିନ୍ତୁ ଶୁଦ୍ର । ମହିଳାଙ୍କୁ ଜାତି ଆଧାରରେ ବିଚାର କରିବା ହେଉଛି ପଛୁଆ ମାନସିକତା । ତେବେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବାକୁ ସେ ଓକିଲାତି କରିଛନ୍ତି ।

ଦେଶରେ ଏବେ ୫୪ ବିଶ୍ବବିଦ୍ୟାଳୟ ଥିଲା ବେଳେ ମାତ୍ର ୬ଟି ରେ ମହିଳା କୁଳପତି ଅଛନ୍ତି । ଏହା ଆମ ଦେଶରେ ମହିଳାଙ୍କ ବାସ୍ତବ ସାମାଜିକ ଚିତ୍ରକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଏ ବତ୍କୃତା ମାଳାରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ପ୍ରଫେସର ଧୂଳିପୁଡ଼ି ପ୍ରସ୍ତାବ ଦେଇଛନ୍ତି । ବାବା ସାହେବଙ୍କ ବିଚାରଧାରାକୁ ଦେଶରେ ଲାଗୁ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।