ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଭେଟି ରଖିବେ ଦାବି

ଗୌହାଟି: ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ରବିବାର ଦିନ ହିମନ୍ତ ବିଶ୍ୱଶର୍ମାଙ୍କ ନାମ ଉପରେ ମୋହର ଲାଗିଛି । ଶନିବାରଠାରୁ ଏଥିପାଇଁ ବିଜେପିରେ ମାନସ ମନ୍ଥନ ଚାଲିଥିଲା । ହିମନ୍ତ ବିଶ୍ୱଶର୍ମା,ସର୍ବାନନ୍ଦ ସୋନେୱାଲଙ୍କ ସ୍ଥାନ ନେବେ । ସୂଚନାଯୋଗ୍ୟ ଯେ, ଶନିବାର ଦିନ ଉଭୟ ସର୍ବାନନ୍ଦ ଓ ହିମନ୍ତ ବିଜେପି ସଭାପତି ଜେ ପି ନାଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ।


ବିଜେପି ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ୬୦ ଆସନ ଜିତିଛି । ଅନ୍ୟପକ୍ଷରେ ଏହାର ସହଯୋଗୀ ଆସାମ ଗଣପରିଷଦ ୯ ଓ ୟୁନାଇଟେଡ୍ ପିପୁଲ’ସ ଲିବରାଲ ୬ ଆସନ ଜିତିଛନ୍ତି । ବିଜେପି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ନାମ ଘୋଷଣା କରିନଥିଲା । ଆସନ୍ତାକାଲି ଅର୍ଥାତ ସୋମବାର ଦିନ ହିମନ୍ତ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ । ଆଜି ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ନିଜ ଦାବି ରଖିବେ । ସୂଚନାଯୋଗ୍ୟ ଯେ, ସର୍ବାନନ୍ଦ ସୋନେୱାଲ ଏହା ଭିତରେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫା ଦେଇଛନ୍ତି ।

କଂଗ୍ରେସରୁ ଆସିଛନ୍ତି ହିମନ୍ତ

ହିମନ୍ତଙ୍କ ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ ହୋଇଥିଲା । ୨ ହଜାର ମସିହା ଆରମ୍ଭରେ ସେ ସକ୍ରୀୟ ରାଜନୀତିକୁ ଆସିଥିଲେ । ଆସାମରେ କଂଗ୍ରେସ ସରକାର ଗଠନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ କଂଗ୍ରେସରେ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ସେ ଦଳ ତ୍ୟାଗ କରିଥିଲେ । ତତ୍କାଳିନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହ ମନାନ୍ତର ପରେ ସେ କଂଗ୍ରେସ ଛାଡିଥିଲେ ।
ରାହୁଲ ଗାନ୍ଧୀ ଓ କୁକୁର ଉପାଖ୍ୟାନ


ହିମନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଳର ପତନ ପାଇଁ ଦାୟୀ କରନ୍ତି । ଦିଲ୍ଲୀରେ ରାହୁଲଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ରାହୁଲ ଆସାମ ନେତାଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ନିଜ କୁକୁର ସହିତ ସମୟ ବିତାଇଥିଲେ ଓ କୁକୁର ସେମାନଙ୍କ ବିସ୍କୁଟକୁ ଅଇଁଠା କରିଥିଲେ ମଧ୍ୟ ରାହୁଲ ପ୍ଲେଟ୍ ବଦଳାଇବାର ସୌଜନ୍ୟତା ଦେଖାଇ ନଥିଲେ ବୋଲି ପରେ ହିମନ୍ତ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ବିଜେପିରେ ଯୋଗଦାନ

ବିଜେପିରେ ଯୋଗଦାନ ପରେ ହିମନ୍ତ ଗୈରିକ ଦଳକୁ ଆସାମରେ କ୍ଷମତାକୁ ଆଣିଥିଲେ । ୨୦୧୬ ନିର୍ବାଚନରେ ବିଜେପି ତାଙ୍କ ପାଇଁ ଜିତିଥିଲା ବୋଲି କୁହାଯାଏ । ହିମନ୍ତଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ତାଙ୍କ ରଣନୀତି ଓ ବ୍ୟକ୍ତିଗତ ସମ୍ପର୍କକୁ ସମ୍ମାନ ଦେଇଥାନ୍ତି । କୁହାଯାଏ ଯେ, ହିମନ୍ତ ବନ୍ଧୁଙ୍କ ବନ୍ଧୁ ଓ ଶତ୍ରୁଙ୍କ ଶତ୍ରୁ । ସେ ନିଜ ବନ୍ଧୁମାନଙ୍କୁ ସାହାଯ୍ୟ କରନ୍ତି ଓ ଶତ୍ରୁ ମାନଙ୍କୁ କେବେ ମଧ୍ୟ ଭୁଲନ୍ତି ନାହିଁ । ଆସାମରେ ତାଙ୍କ ପାଇଁ କଂଗ୍ରେସର ରାଜନୈତିକ ପତନ ଆରମ୍ଭ ହୋଇଛି ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି ।

Leave a Reply