ମତଦାନ କରି ସରକାର ବାଛୁଛି ହିମାଚଳ ପ୍ରଦେଶ, ୬୮ଟି ଆସନରେ ଚାଲିଛି ଭୋଟିଂ

ଶିମଲା: ଆଜି ଭୋଟ ଦେଉଛି ହିମାଚଳ ପ୍ରଦେଶ । ୬୮ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ଜନତା । ସକାଳ ୮ଟାରୁ ଭୋଟଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଚାଲିବ । ଶାନ୍ତି ଶୃଙ୍ଖଳା ପାଇଁ ବୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିଏ ଗଢ଼ିବ ହିମାଚଳରେ ସରକାର ? କାହାର ପଲ୍ଲା ଭାରି ରହିବ ଆଜି ନିର୍ଦ୍ଧାରଣ କରିବେ ଭୋଟର ।

ହିମାଚଳ ଇତିହାସ ଅନୁସାରେ ହିମାଚଳରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳାଇଛନ୍ତି ଏଠାକାର ଜନତା । ଥରେ ବିଜେପି ଶାସନ କଲେ ଥରେ କଂଗ୍ରେସ ସରକାର ଗଢିଛି । ଏଥର କିନ୍ତୁ ଏହି ପ୍ରଥାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆମ ଆଦମୀ ପାର୍ଟି କହିଛି । 37 ପ୍ରତିଶତ ଭୋଟର ରାଜପୁତ ସମ୍ପ୍ରଦାୟରୁ ଥିବା ବେଳେ ୧୮ ପ୍ରତିଶତ ବ୍ରାହ୍ମଣ, ୨୫ ପ୍ରତିଶତ ଦଳିତ ଏବଂ ଅନ୍ୟାନ୍ୟ ୧୬ ପ୍ରତିଶତ ଅଛନ୍ତି । ସବୁ ରାଜନୈତିକ ଦଳର କସରତ ରାଜପୁତ ଭୋଟ୍ ହାତେଇବା ପାଇଁ ରହିଛି । ୨୦୧୭ରେ ବିଜେପି ୪୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୨୧ ସ୍ବାଧିନ ୨ ସିପିଆଇଏମ ଗୋଟିଏ ଆସନରେ ବିଜୟ ଲାଭ କରିଥିଲେ ।