ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦବୁଛି ମାଟି, ମୁଖ୍ୟମନ୍ତ୍ରୀ ଧାମିଙ୍କ ଉଚ୍ଚସ୍ତରୀୟ ବୈଠକ

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦବୁଛି ମାଟି । ପାଖାପାଖି ୬ଶହ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ହୋଇପଡିଛନ୍ତି ସହରବାସୀ । କାହିଁକି ଦବୁଛି ମାଟି, ଘଟଣାସ୍ଥଳରେ ସ୍ଥିତି ପରଖୁଛନ୍ତି ଏନଡିଆରଏଫ୍ ଓ ବିଶେଷଜ୍ଞ ଟିମ୍ । ଅଞ୍ଚଳରୁ ୬୦୦ ପରିବାରକୁ ସ୍ଥାନାନ୍ତର ପାଇଁ ପ୍ରଶାସନକୁ ଉତ୍ତରାଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚାମୋଲି ଯିବେ । ଅନେକ ସ୍ଥାନରେ ଭୂମି ଦବି ପାଣି ବାହାରିବା ସହିତ କୋଠାରେ ଫାଟ ସୃଷ୍ଟି ହୋଇଛି ।

ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପର୍ଯ୍ୟଟନସ୍ଥଳୀ ଯୋଶୀମଠ ସହରର ଅସ୍ତିତ୍ୱ ନେଇ ସଙ୍କଟ ଦେଖାଦେଇଛି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ମାଟି ଦବିବା ଯୋଗୁ ସହରର ୫୭୬ଟି ଘରର ୩ ହଜାରରୁ ଅଧିକ ବାସିନ୍ଦା ପ୍ରଭାବିତ ହୋଇଛନ୍ତି । ମୁନିସିପାଲିଟି ସବୁଦିଗରୁ ସର୍ଭେ କରୁଛି । ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ହୋଟେଲକୁ ବନ୍ଦ କରି ଦିଆଯିବ । ସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।