ଇସ୍ତଫାକୁ ଅଗ୍ରାହ୍ୟ କଲେ ହେମନ୍ତ ସୋରେନ, ରାଜ୍ୟପାଳଙ୍କ ଉପରେ ଛାଡ଼ିଲେ ନିଷ୍ପତ୍ତି

1 min read

ରାଞ୍ଚି:  ଗତକାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କ୍ୟାବିନେଟ ବୈଠକ ସାରି ରାଜଭବନ ଯାଇ ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟିଥିଲେ । ଆଶା କରାଯାଉଥିଲା ରାଜ୍ୟପାଳଙ୍କୁ ଭେଟିବା ପରେ ହେମନ୍ତ ସୋରେନ ଇସ୍ତଫା ଦେବେ । ମାତ୍ର ସୋରେନ କହିଛନ୍ତି-ସେ ନିଜ ଆଡୁ ଇସ୍ତଫା ଦେବେ ନାହିଁ । ରାଜ୍ୟପାଳ ଯାହା ନିଷ୍ପତ୍ତି ନେବେ ନିଅନ୍ତୁ । ହେମନ୍ତ ଅଭିଯୋଗ କରିଛନ୍ତି- ରାଜ୍ୟରେ ଜେଏମଏମ- କଂଗ୍ରେସ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ବିଜେପି ଉଦ୍ୟମ ଜାରି ରଖିଛି।

ଆସନ୍ତା ୫ରେ ବସିବ ଝାଡଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ସେହିଦିନ ଲାଗି ସମସ୍ତଙ୍କ ଅପେକ୍ଷା । ସ୍ୱତନ୍ତ୍ର ଅଧିବେଶନ ନେଇ କ୍ୟାବିନେଟ ସଚିବ ବନ୍ଦନା ଦାଦେଲ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୨୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ନେଇ ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜଭବନରୁ କିଛି ତଥ୍ୟ ଲିକ୍ ହୋଇଥିବାରୁ ଏହାକୁ ନେଇ ରାଜ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ ନିକଟକୁ ପତ୍ର ଲେଖାଯାଇଛି । ତେବେ ରାଜଭବନରୁ କୌଣସି ତଥ୍ୟ ଲିକ୍ ହୋଇ ନଥିବା ରାଜ୍ୟପାଳ କହିଛନ୍ତି ବୋଲି ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କି । ଅପରେସନ ଲୋଟସ ଦାନା ବାନ୍ଧିବା ଆଶଙ୍କାରେ ଜେଏମଏମ ଓ କଂଗ୍ରେସ ବିଧାୟକ ଏବେ ବି ଛତିଶଗଡ଼ରେ ଡେରା ପକାଇଛନ୍ତି  । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ମେଣ୍ଟର ୪୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୨୬ ବିଧାୟକ ।