spot_img

Latest Posts

ଭୟଙ୍କର ତୁଷାର ଝଡ଼ ଓ ବନ୍ୟାରେ ବେହାଲ କାଲିଫର୍ଣ୍ଣିଆ

କାଲିଫର୍ଣ୍ଣିଆ: ଭୟଙ୍କର ତୁଷାରଝଡ଼ ଓ ବନ୍ୟାରେ ବେହାଲ ଆମେରିକାର କାଲିଫର୍ଣ୍ଣିଆ। ହଜାର ହଜାର ଲୋକ ଗୃହବନ୍ଦୀ। ଗତ କିଛି ଦିନ ଧରି ଜାରି ରହିଥିବା ପ୍ରକୃତିର ତାଣ୍ଡବ ଥମିବାର ନାଁ ନେଉନାହିଁ। ଲସ ଏଞ୍ଜେଲସ ସମେତ ଅନେକ ସହରରେ ଲକ୍ଷାଧିକ ଲୋକ ବିନା ବିଦ୍ୟୁତରେ କରୁଛନ୍ତି ସଂଘର୍ଷ। ଠପ୍ ହୋଇଯାଇଛି ବ୍ୟବସାୟ ଓ ଜୀବନଯାତ୍ରା। ପ୍ରଭାବିତ ହୋଇଛନ୍ତି ପ୍ରାୟ ୮୫ ହଜାର ପରିବାର।

କାଲିଫର୍ଣ୍ଣିଆର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସହର ଜଳାର୍ଣ୍ଣବ ହୋଇଛି।ଭେଣ୍ଟୁରାରେ ବନ୍ୟା ଆସିବା କାରଣରୁ ସହର ଭିତରେ 7 ଇଞ୍ଚର ଜଳ ପ୍ରବାହିତ ହୋଇଛି। କାଲିଫର୍ଣ୍ଣିଆ ଇତିହାସରେ ଏହା ସବୁଠାରୁ ଶକ୍ତିଶାଳୀ ବରଫ ଝଡ ବୋଲି କୁହାଯାଇଛି।

https://youtu.be/an20zpCvm08

ତୁଷାର ଝଡ଼କୁ ଦୃଷ୍ଟିରେ ରଖି କାସକେଡ, କୋଷ୍ଟାଲ ରେଞ୍ଜ, ସିଏରା ନେଭାଦା ଆଦି ସ୍ଥାନରେ ସତର୍କତା ଜାରି କରାଯାଇଛି । ସ୍ଥିତି ଅତି ବିପଜ୍ଜନକ ହେବ ବୋଲି କହିଛି ଜାତୀୟ ପାଣିପାଗ ସେବା ବିଭାଗ । ସାଣ୍ଟା କ୍ଲାରିଟା, ଗୋଲ୍ଡେନ ଷ୍ଟେଟ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ପାହାଡରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ କାରଣରୁ କିଛି ରାଜପଥକୁ ବନ୍ଦ କରିଦିଆଯାଇଛି।

ଆର୍କଟିକ ଅଞ୍ଚଳରେ ଏକ ଲଘୁଚାପ କାରଣରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଇଛି। ଘଣ୍ଟାକୁ ପବନର ବେଗ ୧୧୦ କିଲୋମିଟରରୁ ଅଧିକ ହେବ ବୋଲି ସତର୍କତା ଜାରି କରାଯାଇଛି। ଜାତୀୟ ପାଣିପାଗ ସେବାର ବିଶେଷଜ୍ଞ ଏରିକ ବୋଲଟ କହିଛନ୍ତି, ଆସନ୍ତା କିଛି ଦିନ ଯାଏ ଏପରି ଅବସ୍ଥା ଲାଗିରହିବ ଏବଂ ଅଧିକରୁ ଅଧିକ ସ୍ଥାନରେ ତୁଷାରପାତ ହେବ। ସେପଟେ ନେଭାଦାରେ ବି ଜାରି ରହିଛି ତୁଷାରଝଡ଼ । ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଓ ରୋଗୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି।

Latest Posts

Don't Miss