‘ବୁଲବୁଲ୍’ ପ୍ରଭାବରେ ଆଜିଠୁ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ବୁଲବୁଲ୍’ । ଭୟଙ୍କର ବାତ୍ୟାର ରୂପ ନେଇଥିବା ‘ବୁଲବୁଲ୍’ ପ୍ରଭାବରେ ଆଜି ଅପରାହଣରୁ ପ୍ରବଳ ବର୍ଷା ହେବ । ବିଶେଷକରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷିବ । ବଙ୍ଗୋପସାଗରରେ ଘଣ୍ଟାକୁ ୮ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ‘ବୁଲବୁଲ୍’ ଗତି କରୁଛି । ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୪୨୦ କିମି ଦୂରରେ ବାତ୍ୟା ରହିଛି । ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ୫୬୦ ଓ ବାଂଲାଦେଶର ଖେପୁପାରା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଦୂରରେ ବାତ୍ୟା ‘ବୁଲବୁଲ୍’ ରହିଛି । ଆଗାମୀ ୧୨ ଘଣ୍ଟାରେ ବାତ୍ୟା ଉତ୍ତର ଦିଗକୁ ଗତି କରିବ । ତା’ପରେ ଦିଗ ବଦଳାଇ ଉତ୍ତରପୂର୍ବ ଆଡ଼କୁ ଗତି କରିବ । ୧୦ ତାରିଖ ଭୋରରୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ଖେପୁପାରା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

‘ବୁଲବୁଲ୍’ ପ୍ରଭାବରେ ଆଜିଠୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବ । ଏହି ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ । ୯ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଉପକୂଳ ଓଡ଼ିଶାରେ ଆଜିଠୁ ୩୫-୪୫ କିମି ବେଗରେ ଘଣ୍ଟାପ୍ରତି ପବନ ବହିବ । ଏହି ବେଗ ଅପରାହଣରେ ୪୫ରୁ ୫୫କୁ ବୃଦ୍ଧି ପାଇପାରେ । ୯ ତାରିଖରେ ପବନର ବେଗ ଆହୁରି ବଢ଼ିଯାଇ ୭୦ରୁ ୮୦- କିମି ବେଗରେ ଘଣ୍ଟାପ୍ରତି ପବନ ବହିବ । ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ କିମି ରହିବ । ଏହି ବେଗ ଘଣ୍ଟା ପ୍ରତି ୧୩୫ କିମି ଯାଏଁ ବଢ଼ିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜିଠୁ ୧୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

')}

Leave a Reply