ସାରା ରାଜ୍ୟରେ ଜାରି ରହିଛି ବର୍ଷା, ୧୩ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଅବପାତ ଦୁର୍ବଳ ହେବା ପରେ ଏବେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତାକାଲି ବର୍ଷା ସାମାନ୍ୟ କମିବ, ତେବେ ୧୩ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏଥିପାଇଁ ୧୩ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ୧୪ରେ ବର୍ଷାର ପରିମାଣ ବଢ଼ିବା ସହ ୧୪ ଜିଲ୍ଲାରେ ଭୀଷଣ ବର୍ଷା ହେବ । ୧୬ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେଣୁ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ ।
ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଲାଗି ରହିଛି । ଯାହା ଫଳରେ ମହାନଦୀ ଉପରମୁଣ୍ଡ ଓ ତଳମୁଣ୍ଡରେ ନଦୀ ଜଳସ୍ତର ବଢ଼ୁଛି । ସେହିଭଳି ଦକ୍ଷିଣ ଓଡ଼ିଶାର ସବୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ୧୩ରୁ ଲଗାଣ ବର୍ଷା ହେଲେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ମହାନଦୀ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ହରଭଙ୍ଗି ଭଳି ନଦୀରେ ବନ୍ୟା ଆସିପାରେ ।