ଲଗାଣ ବର୍ଷାରେ କନ୍ଧମାଳ ଅସ୍ତବ୍ୟସ୍ତ, ରାସ୍ତାରେ ଚାଲୁଛି ୩ ଫୁଟର ପାଣି

କନ୍ଧମାଳ: ଲଘୁଚାପ ଜନିତ ବର୍ଷା ହେବା ଯୋଗୁ କନ୍ଧମାଳ ଜିଲ୍ଲା ଏବେ ଅସ୍ତବ୍ୟସ୍ତ ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗତରାତିଠାରୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି ନିଜ ନିଜ କାର୍ଯ୍ୟ କରିବାପାଇଁ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡ଼ିଛି । ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଯାଇ ପାରୁନାହାନ୍ତି । ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀଠାରୁ କୁମ୍ଭାରପଡ଼ାକୁ ଯାତାୟତ ଏକ ପ୍ରକାର ବିଛିନ୍ନ ହୋଇଛି ।

ସେହିଭଳି ପିଲା ସାଲୁଙ୍କି ନଦୀରେ ଜଳସ୍ତର ବଢ଼ିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ତିନି ଫୁଟର ପାଣି ଯିବା ଯୋଗୁ ଡାକପାଲା, ଦାମୀଗାଁ ଯାତାୟତ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦା ଛକଠାରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି । ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷଗୁଡ଼ିକ ନଷ୍ଟ ହୋଇଛି । ସେହିଭଳି ଚକାପାଦ ବ୍ଲୋକର ପୋଡ଼ାମାହା ଘାଟିରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲିକୁ ଯାତାୟତ ଠପ୍ ରହିଛି ।