ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପରେ ଏବେ ଉତ୍ତର ମୁହାଁ ଲଘୁଚାପ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଖସିବା ଓ ପାହାଡ଼ ଧସିବା ଆଶଙ୍କା ରହିଛି । ଏହା ସହିତ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ।

ସେପଟେ ଉପକୂଳ ଓଡ଼ିଶାରେ ବର୍ଷା ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ସତର୍କ ରହିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଚଳିତ ମାସରେ ଦୁଇ ଦୁଇଟି ଲଘୁଚାପ ସତ୍ତ୍ୱେ ସ୍ୱାଭାବିକଠାରୁ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।