ଆଜିଠୁ ପୁଣି ବର୍ଷା, ଆସନ୍ତାକାଲି ପ୍ରବଳ ବର୍ଷିବ

1 min read

ଭୁବନେଶ୍ୱର: ଆଜିଠୁ ବର୍ଷା, କାଲି ପ୍ରବଳ । ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହୋଇଛି । ଫଳରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ଘଣ୍ଟାରେ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

ଏହାସହ ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଗଂଜାମ, ଗଜପତି ଓ ଖୋର୍ଦ୍ଧାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ଦେଓଗଡ଼ରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ୧୧ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୫ ତାରିଖରୁ କମିବ ବର୍ଷା ।

ଚଳିତ ବର୍ଷ ଜୁନ ପହିଲାରୁ ୨୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୯୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୪% ଅଧିକ ରହିଛି । ଏହି ସମୟ ମଧ୍ୟରେ କନ୍ଧମାଳରେ ୭୧% ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି ।