ଲଗାଣ ବର୍ଷାରେ ବେହାଲ୍ ଯାଜପୁର: ବଢିଛି ଖରସ୍ରୋତା ଓ ତନ୍ତୀ ନଦୀ ଜଳସ୍ତର, ୨ଟି ପଞ୍ଚାୟତ ପାଣି ଘେରରେ

ଯାଜପୁରରେ ଜଳାର୍ଣ୍ଣବ ସ୍ଥିତି । ରାସ୍ତାରେ ଲହଡି ମାରୁଛି ପାଣି । ନଦୀ ରାସ୍ତା ସବୁ ଏକାକାର ହୋଇଯାଇଛି । କିଛିଦିନର ଲଗାତାର ବର୍ଷାରେ ବରୀ ବ୍ଲକ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ଓ ଶାଖା ନଦୀ ତନ୍ତୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ସ୍ଥାନୀୟ ୨ ପଞ୍ଚାୟତ ପାଣି ଘେରେର । ଭଅଁରା ଓ ବୋଦୁଆର ମୁଖ୍ୟ ରାସ୍ତାରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଲୋକେ । ବନ୍ୟା ଜଳ ଦେଖି ନଦୀ କୁଳିଆ ଲୋକମାନେ ଭୟଭିତ ଅଛନ୍ତି। ଏମିତିକି ରାସ୍ତା ଯାଆସ ପାଇଁ ଟ୍ରାକ୍ଟର ଉପରେ ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଲୋକେ ।

ରାସ୍ତାକୁ ବନ୍ୟାଜଳ ଆସିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅନ୍ୟପଟେ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନେ ଟ୍ରକ ଡାଲା କିମ୍ବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯିବା ଆସିବା କରୁଛନ୍ତି । ବନ୍ୟାଜଳର ସ୍ରୋତ ଧୀରେ ଧୀରେ ବଢ଼ୁଥିବାରେ ଲୋକମାନଙ୍କର ଯାଆସରେ ମଧ୍ୟ ବିପଦ ଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଗୁଡ଼ିକର ମରାମତି କାମ ସରିନାହିଁ । ତେଣୁ ନଦୀକୂଳରେ ରହୁଥିବା ଲୋକମାନଙ୍କର ଜୀବନ ବିପଦ ସଙ୍କୁଳ । ତେବେ ଭବିଷ୍ୟତରେ ଯଦି ବଡ଼ ଧରଣର ବର୍ଷା କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ଅନେକ ଗାଁ ଜଳାର୍ଣ୍ଣବ ହେବାର ସମ୍ଭାବନା ରହିଛି ।

Leave a Reply