ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର: ହ୍ୟାଣ୍ଡମେଡ୍ ମାସ୍କ ପିନ୍ଧିବାକୁ ପରାମର୍ଶ

1 min read

ଭୁବନେଶ୍ୱର ବ୍ୟୁରୋ: କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ପ୍ରତିଦିନ ନୂଆ ନୂଆ ପରାମର୍ଶ ଆସିବାରେ ଲାଗିଛି । ହେଲେ ସବୁଠୁ ସୁରକ୍ଷିତ କୁହାଯାଉଥିବା ଦାମୀ ଛିଦ୍ରଯୁକ୍ତ ଏନ-୯୫ ମାସ୍କ ଏବେ ନିରାପଦ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଘର ତିଆରି ହ୍ୟାଣ୍ଡମେଡ୍‌ ମାସ୍କ ବ୍ୟବହାର କରିବାକୁ ସରକାର ଦେଇଛନ୍ତି ପରାମର୍ଶ ।

ସେପଟେ ପବନରେ ସଂକ୍ରମଣ ଭୟ ରହୁଥିବାରୁ ସବୁ ବେଳେ ଏପରିକି ଆବଦ୍ଧ ଥିବା ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି CSIR  । ସେପଟେ ଅକ୍ସଫୋର୍ଡ ଆଣିଛି ଆଶ୍ବସ୍ତିର ଖବର  । ଫାର୍ମା କମ୍ପାନୀ ଏଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଟିକା ଚମତ୍କାର ଆଡକୁ ଆଗଉଛି  । ଆପଣ ଦାମୀ ଏନ-୯୫ ମାସ୍କ ବ୍ୟବହାର କରୁଛନ୍ତି  । ସାବଧାନ  ।

ଏହା ଆପଣଙ୍କ ଜୀବନ ପ୍ରତି ବିପଜ୍ଜନକ ହୋଇପାରେ  । ଏହି ମାସ୍କ କରୋନା ସଂକ୍ରମଣକୁ ରୋକି ପାରିବନି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ କରାଯାଇଛି ।

ଛିଦ୍ରଯୁକ୍ତ ଏନ-୯୫ ମାସ୍କ ବ୍ୟବହାର ନ କରିବାକୁ ଚିଠିରେ ଚେତାବନୀ ଦିଆଯାଇଛି । ଏହି ମାସ୍କ ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ନୁହେଁ  । ଏହାକୁ ବ୍ୟବହାର କରିବା ହାନିକାରକ ବୋଲି କୁହାଯାଇଛି । ଘର ତିଆରି ମାସ୍କ ପିନ୍ଧିବା ସ୍ବାସ୍ଥ୍ୟକର ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ  । ଅନ୍ୟପଟେ ବାୟୁରେ କରୋନା ବ୍ୟାପିବା ଆଶଂକା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି  ।

ଏହାକୁ ଦୃଷ୍ଟିରେ ରଖି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-ସିଏସଆଇଆର ଦେଇଛି ନୂଆ ପରାମର୍ଶ  । ଆବଦ୍ଧ ସ୍ଥାନରେ ରହୁଥିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛି ସିଏସଆଇଆର  । ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ବା କାଶ ଦ୍ବାରା ବାହାରୁ ଥିବା କଣିକା ଅନେକ ସମୟ ଧରି ବାୟୁରେ ଉଡ଼ିବୁଲେ  ।

ଫଳରେ ଅନ୍ୟ ମାନଙ୍କୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ । ୩୨ଟି ଦେଶର ୨୩୯ ବୈଜ୍ଞାନିକ ଡବ୍ଲୁଏଚଓକୁ ଚିଠି ଲେଖି ବାୟୁରେ କରୋନା ସଂକ୍ରମଣ ହେଉଥିବା ନେଇ ଜଣାଇଥିଲେ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ଏବଂ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ବୋଲି କହିଛି ସିଏସଆଇଆର  ।

ଏସବୁ ଭିତରେ କୋଭିଡ-୧୯ରୁ ବର୍ତ୍ତିବା ପାଇଁ ଆଶା ଦେଖାଇଛି ଅକ୍ସଫୋର୍ଡ ଟିକା  । ଭୂତାଣୁ ଭୟ ଭିତରେ ଆଣିଦେଇଛି ବଡ଼ ଆଶ୍ବସ୍ତି  । କରୋନା ସଂକଟରେ ଚମତ୍କାର ଆଡକୁ ଆଗଉଛି ଅକ୍ସଫୋର୍ଡର ଟିକା । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ କରୋନା ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି ।

https://www.facebook.com/NandighoshaTV/videos/1009540502799430/

ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷାରେ ଟିକା ନିରାପଦ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ନେଇ ପ୍ରମାଣ ମିଳିଛି । ଟିକାର ହ୍ୟୁମାନ ଟ୍ରାଏଲରେ ଏକ ହଜାର ୭୭ ଲୋକ ସାମିଲ ହୋଇଥିଲେ । ଟିକା ଦେବା ଦ୍ବାରା ସେମାନଙ୍କ ଶରୀରରେ ଆଣ୍ଟିବଡି ସହ ଟି-ସେଲସ ବିକଶିତ ହେଉଛି । ଯାହାକି କରୋନା ସହ ଲଢିବାରେ ସକ୍ଷମ । ସେଭଳି ଗମ୍ଭୀର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିନି । ଫାର୍ମା କମ୍ପାନୀ ଏଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ଟିକାକୁ ବିକଶିତ କରାଯାଇଛି । ସପ୍ତାହେ ମଧ୍ୟରେ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ କମ୍ପାନୀ ଲାଇସେନ୍ସ ପାଇଁ ଆବେଦନ କରିବ । ଚଳିତ ବର୍ଷ ଶେଷ ଆଡକୁ ଏଷ୍ଟ୍ରାଜେନେକା ଅକ୍ସଫୋର୍ଡ ଭ୍ୟାକ୍ସିନ୍ ଉପଲବ୍ଧ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply