OPSC ୨୦୨୧ର ଫଳ ପ୍ରକାଶନ ଉପରୁ ହଟିଲା ଅଙ୍କୁଶ

1 min read

କଟକ: OPSC ପରୀକ୍ଷା, ୨୦୨୧ର ଫଳ ପ୍ରକାଶନ ଉପରୁ ଅଙ୍କୁଶ ହଟିଲା । ଅଙ୍କୁଶ ହଟାଇଲେ ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଫଳରେ ସମଗ୍ର ସିଭିଲ୍‌ ସର୍ଭସ୍‌ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା। ଏହି ଅନ୍ତରୀଣ ନି‌ର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଙ୍ଗ ନେଇ OPSC କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ଅଙ୍କୁଶ ଯୋଗୁଁ ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା OPSC । ହାଇକୋର୍ଟ ଓପିଏସ୍‌ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ।