ହାଥରସ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ଦାବିରେ ଚାଲିଲେ ୫୦ କିଲୋମିଟର

କଳାହାଣ୍ଡି: ହାତରେ ପ୍ଲା କାର୍ଡ । କାନ୍ଧରେ ଜାତୀୟ ପତାକା । ମୁହଁରେ ଗୋଟିଏ ଶ୍ଳୋଗାନ । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ । ସାରା ଦେଶରେ ଏବେ ହାଥରସ ଗଣଦୁଷ୍କର୍ମ ବିରୋଧର ଝଡ଼ ବହୁଛି । ହାଥରସରେ ମୃତ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆକ୍ରୋଶର ନିଆଁ ହୁହୁ ହୋଇ ଜଳୁଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋଷୀଙ୍କୁ ଫାଶୀ ଏବଂ ଦୁଷ୍କର୍ମର ବିରୁଦ୍ଧରେ ୩ ଯୁବକ ଚାଲିଲେ ୫୦ କିଲୋମିଟର । ତୁର୍ଲାଖମନ ଗାଁ ଠାରୁ ଭବାନୀପାଟଣା ଯାଏଁ ରଚିଲେ ଅଭିଯୋଗର ଅଭିଯାନ । ସାଙ୍ଗରେ ନେଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଭିଯୋଗ । ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ଦେବା ଭଳି ଅଭିନଭ ପ୍ରତିବାଦ କରିଛନ୍ତି ୩ ଯୁବକ । ୩ ଜଣ ଯୁବକ ହେଉଛନ୍ତି ପ୍ରମୋଦ ସାହୁ, ସରୋଜ ସାହୁ ଓ ଜୋସବନ୍ତ ରଣା ।

ସୂଚନା ଅନୁଯାୟୀ,  ଆଜି ନିଜ ଗାଁରୁ ଜାତୀୟ ପତାକା ଓ ପ୍ଲା କାର୍ଡ ଧରି  ଭବାନୀପାଟଣା ଅଭିମୁଖେ ବାହାରିଥିଲେ । ହାଥରସ ରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ନିନ୍ଦନୀୟ । ଆମକୁ ଏହି ଘଟଣା ଦେଖି ବିବ୍ରତ କରିଦେଇଥିଲା ବୋଲି ୩ ଜଣ ଯୁବକ କହିଛନ୍ତି । ଭାରତ ବର୍ଷ ରେ ବାରମ୍ବାର ଏହି ଭଳି ଘଟଣା ଘଟୁଛି । ଯେଉଁଥି ପାଇଁ ସେମାନେବି ଦାୟୀ ବୋଲି କହିଥିଲେ । ସମାଜ ଧୀରେ ଧୀରେ କଳୁଷିତ ହେଉଛି । ଲୋକେ ବାରମ୍ବାର ଏହିଭଳି ଘଟଣା ଘଟାଉଛନ୍ତି ।

ଯେଉଁ ମାନେ ଏହି ବର୍ବର କାଣ୍ଡ କରୁଛନ୍ତି ସମସ୍ତଙ୍କ ମା’ ଭଉଣୀ ଅଛନ୍ତି । କିନ୍ତୁ ସେମାନେ ଏହି କାଣ୍ଡ ଭିଆଇଲାବେଳେ ନିଜେ ଭାବୁ ନାହାନ୍ତି । ବିବେକ ହରାଇ ବସୁଛନ୍ତି । ଏଣୁ  ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ତାଙ୍କର ପ୍ରଥମ ଦାବୀ । ତେବେ କଳୁଷିତ ହୋଇଆସୁଥିବା ସମାଜକୁ ପୁଣି ଠକି କରିବା ଏବଂ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଏ ଯାତ୍ରା କରିଥିବା ଏହି ୩ ଜଣ ଯୁବକ କହିଛନ୍ତି । ସେମାନେ ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କର ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Leave a Reply