ଉତ୍ତରପ୍ରଦେଶ : ହାଥରସର ଏକ ସ୍କୁଲରେ ଶିଶୁ ବଳି

ହାଥରସ୍ :  ଏବେ ବି ସମାଜରେ ସତେଜ ରହିଛି ଅନ୍ଧବିଶ୍ବାସ । ପୁଣି ଚର୍ଚ୍ଚାରେ ଉତ୍ତରପ୍ରଦେଶ ହାଥରସ। ଏକ ସ୍କୁଲର ଉତ୍ତରୋତ୍ତର ବିକାଶ ଓ ଖ୍ଯାତି ଲାଗି ଏକ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି । ସ୍କୁଲର ଛାତ୍ରାବାସରେ ଗତ ସେପ୍ଟେମ୍ବର ୨୨ ତାରିଖରେ ତିନି ଜଣ ବ୍ଯକ୍ତି ଶିଶୁର ତଣ୍ଟି ଚିପି ହତ୍ଯା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ଯରେ ଅଛନ୍ତି ସ୍କୁଲର ମାଲିକ ଯଶୋଧନ ସିଂ, ପୁଅ ତଥା ସ୍କୁଲ ନିର୍ଦ୍ଦେଶକ ଦୀନେଶ ବାଘେର ଓ ୩ ଜଣ ଶିକ୍ଷକ।  ପୋଲିସ ଅନୁସାରେ ଗତ ସେପ୍ଟେମ୍ବର ୬ରେ ଅନ୍ଯ ଏକ ଶିଶୁକୁ ବଳି ଦେବା ଲାଗି ଯୋଜନା କରିଥିଲେ । ମାତ୍ର ତାହା ସଫଳ ହୋଇ ନଥିଲା । ପିଲାଟି ଚିତ୍କାର କରି ଦୌଡି ଚାଲିଯିବାରୁ ସେମାନଙ୍କ ଉଦ୍ଯମ ବିଫଳ ହୋଇଥିଲା ।

ପରେ ମେଡିକାଲରେ ପରୀକ୍ଷା ପରେ ତାର ବେକକୁ ଚିପା ଯାଇଥିବା ସଙ୍କେତ ମିଳିଥିଲା । ଗତ ୨୨ ତାରିଖରେ ପୁଣି ଥରେ ଅଭିଯୁକ୍ତମାନେ ଏହି ଉଦ୍ଯମ କରିଥିଲେ। ସ୍କୁଲ ନିକଟରେ ଥିବା ଏକ ନଳକୂଅ ପାଖରୁ ସେମାନେ ଏକ ଶିଶୁକୁ ନେଇଯାଇଥିଲେ । ମାତ୍ର ନେବାବେଳେ ଶିଶୁଟି ଚିତ୍କାର କରିବାରୁ ସେମାନେ ସ୍କୁଲ ଭିତରେ ଶିଶୁର ତଣ୍ଟି ଚିପି ହତ୍ଯା କରିଥିଲେ । ନଳକୂଅ ନିକଟରେ କିଛି ପୂଜା ସାମଗ୍ରୀ ଦେଖିବାକୁ ମିଳିଥିଲା । ଆର୍ଥିକ ସମସ୍ଯାରୁ ମୁକ୍ତି ପାଇବା ଲାଗି ଅଭିଯୁକ୍ତମାନେ ଶିଶୁକୁ ହତ୍ଯା କରିଥିଲେ ବୋଲି ପୋଲିସ କହିଛି । ଶିଶୁର ମୃତଦେହ ନିର୍ଦ୍ଦେଶକଙ୍କ କାରରୁ ଜବତ ହୋଇଥିଲା ।