ହାଥରସ ଅଘଟଣ, ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି

1 min read

ନନ୍ଦିଘୋଷ ବ୍ୟୁରୋ: ସତସଙ୍ଗ ପାଲଟିଲା ଶ୍ମଶାନ। ହସଖୁସିର ମୁହୂର୍ତ୍ତରେ ଘୋଟିଗଲା କଳାବାଦଲ। ସତସଙ୍ଗ ଉତ୍ସବରେ ନାଚିଲା ମୃତ୍ଯୁର ତାଣ୍ଡବ। ଉତ୍ତରପ୍ରଦେଶ ହାଥରସ ରତିଭାନପୁରରେ ସତସଙ୍ଗ ଚାଲିଥିବା ବେଳେ, ଦଳାଚକଟାରେ ପ୍ରାଣ ହରାଇଛନ୍ତି ୧୨୧ ଜଣ। ଏଥିସହ ଶତାଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଘଟଣ ପରେ ଆରମ୍ଭ ହୋଇଛି ଦଳାଚକଟାର ତଦନ୍ତ। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା। ଏବେ ବି ଏଣେ ତେଣେ ପଡିଛି ମୃତଦେହ। ସ୍ଥାନୀୟ ଜଣେ ଗୁରୁ ଭୋଲେ ବାବା ନାରାୟଣ ସାକର ହରିଙ୍କ ଏହି ଉତ୍ସବ ପାଳନ ହେଉଥିବା ବେଳେ ଅଘଟଣ ଘଟିଥିଲା। ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ। ମୃତବ୍ଯକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ୫୦ ହଜାର ଲେଖାଏ ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ହାଥରସ ଅଘଟଣରେ ଜାରି ହୋଇଛି ହେଲ୍ପଲାଇ ନମ୍ବର- 05722227041 ଓ 05722227042।