୪୦ ଦିନିଆ ପାରୋଲରେ ମୁକୁଳିଲେ ବିବାଦୀୟ ଗୁରୁ ଗୁରୁମିତ ରାମ ରହିମ

1 min read

ଚଣ୍ଡିଗଡ଼: ୪୦ ଦିନିଆ ପାରୋଲରେ ମୁକୁଳିଲେ ବିବାଦୀୟ ଗୁରୁ ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ । ଆତ୍ମଘୋଷିତ ଗଡମ୍ୟାନଙ୍କୁ ପାରୋଲ ମଞ୍ଜୁର ହେବା ପରେ ସେ ଜେଲରୁ ମୁକୁଳିଛନ୍ତି । ୨ ଜଣ ମହିଳା ଭକ୍ତଙ୍କୁ ସିର୍ସାସ୍ଥିତ ଆଶ୍ରମରେ ଦୁଷ୍କର୍ମ କରାଯିବା ଘଟଣାରେ ତାଙ୍କୁ ୨୦ ବର୍ଷ ଲାଗି ଜେଲ ଦଣ୍ଡାଦେଶ ମିଳିଥିଲା । ଗତବର୍ଷ ଅକ୍ଟୋବର ୧୪ ତାରିଖରେ ରାମ ରହିମଙ୍କୁ ବି ପାରୋଲ ମିଳିଥିଲା । ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ପଞ୍ଚାୟତ ନିର୍ବାଚନ ଓ ଆଦମପୁର ବିଧାନସଭା ଆସନ ଉପନିର୍ବାଚନରେ ପ୍ରଭାବ ପକାଇବା ଲାଗି ତାଙ୍କୁ ପାରୋଲ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ବର୍ତ୍ତମାନ ମିଳିଥିବା ପାରୋଲକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । କହିଛନ୍ତି- ଦୁଷ୍କର୍ମକାରୀ ଓ ହତ୍ୟାକାରୀ ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି । ବଳାତ୍କାରୀ ଖୋଲାରେ ବୁଲିବେ । ୨୦୧୯ରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ରାମରହିମଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।