ସରିଲା ଗୁଜରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଇଭିଏମରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଅହମ୍ମଦାବାଦ: ସରିଲା ଗୁଜରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୯୩ ଆସନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୫୯ ପ୍ରତିଶତ ମତଦାନ ହୋଇଛି । ୧୪ ଜିଲ୍ଲାର ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ହୋଇଛି ସିଲ୍ । ମଇଦାନରେ ୨୮୫ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ସବୁ ସିଟରେ ବିଜେପି, ଆମ ଆଦମୀ ପାର୍ଟିର ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସ ୯୦ ଆସନରେ ପ୍ରାର୍ଥୀ ଦେଇଛି । ମଧ୍ୟ ଓ ଉତ୍ତର ଗୁଜରାଟ ବିଜେପି, କଂଗ୍ରେସ ଓ ଆପ୍ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ।

୯୩ ଆସନ ମଧ୍ୟରୁ ୫୪ ସିଟ୍ ଗ୍ରାମୀଣ ଅଞ୍ଚଳ ହୋଇଥିବା ବେଳେ ୩୯ ସହରୀ ସିଟ୍ ରହିଛି । ୧୩ହଜାର ୩୧୯ ବୁଥ୍ ରେ ପୋଲିଂର ଓ୍ବେବକାଷ୍ଟିଂ କରାଯାଉଛି । ୨୯ହଜାର ପ୍ରିଜାଇଡିଂ ଅଫିସର ଓ ୮୪ ହଜାର ପୁଲିଂ ଅଫିସର ଭୋଟଦାନ କେନ୍ଦ୍ରରେ ନିୟୋଜିତ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସିଏମ ଭୂପେନ୍ଦ୍ର ପଟେଲ, ବିରାମଗାମରୁ ବିଜେପି ନେତା ହାର୍ଦ୍ଦିକ ପଟେଲ, ଗାନ୍ଧୀନଗର ଦକ୍ଷିଣରୁ ଅଳ୍ପେଶ ଠାକୁର ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ।

ବଡ଼ଗାମ ସିଟରୁ କଂଗ୍ରେସର ଦଳିତ ନେତା ଜିଗ୍ନେଶ ମେଓ୍ବାନୀ, ଜେତପୁର ସିଟରୁବିରୋଧୀ ନେତା ସୁଖରାମ ରାଠଓ୍ବା,ବାଘୋଡିଆ ସିଟରୁ ବିଜେପିର ବିଦ୍ରୋହୀ ନେତା ମଧୁ ଶ୍ରୀବାସ୍ତବ ନିର୍ବାଚନ ଲଢୁଛନ୍ତି । ୨୦୧୭ ନିର୍ବାଚନରେ ବିଜେପି ୯୩ ସିଟରୁ ୫୧ ଆସନରେ ବିଜେପି ବାଜିମାତ କରିଥିଲା । କଂଗ୍ରେସ ୩୯ ସିଟରେ ବିଜୟୀ ହୋଇଥିଲା । ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ ।

ଗତ ନିର୍ବାଚନରେ ଉଭୟ ଉତ୍ତର ଓ ମଧ୍ୟ ଗୁଜରାଟର ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଆସନ କଂଗ୍ରେସ ହାତକୁ ଆସିଥିଲା । ଉତ୍ତର ଗୁଜରାଟରେ ବିଜେପିଠାରୁ କଂଗ୍ରେସ ଅଧିକ ତିନି ଆସନ ଜିତିଥିଲା । ସହରୀ ଆସନ ବିଜେପି ଅକ୍ତିଆରରେ ରହିଥିବା ବେଳେ ଏଥର ରାଜନୈତିକ ସମୀକରଣ ବଦଳିଛି । ଆମ ଆଦମୀ ପାର୍ଟି ସହରାଞ୍ଚଳ ଆସନ ପାଇଁ ଜୋରଦାର ଉଦ୍ୟମ କରିଛି ।