ଡେବ୍ୟୁ ସିଜିନରେ ଦମ୍ ଦେଖାଇଲେ ହାର୍ଦ୍ଦିକ ବ୍ରିଗେଡ୍, ପଦାର୍ପଣ ସଂସ୍କରଣରେ ଜିତିଲେ ଟ୍ରଫି

1 min read

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ପଦାର୍ପଣ ସିଜିନରେ ପ୍ରଶଂସନୀୟ ପ୍ରଦର୍ଶନ ଦେଖାଇଛି ଗୁଜରାଟ ଟାଇଟନ୍ସ । ଡେବ୍ୟୁ ସିଜିନରେ ଚମତ୍କାର ପ୍ରଦର୍ଶନ କରି ଟ୍ରଫି ହାତେଇଛି ଗୁଜୁରାଟ । ସିଜିନ ଆରମ୍ଭରୁ ଟିମ୍ ଭଲ ପ୍ରଦର୍ଶନ କରୁଥିବା ବେଳେ ଫାଇନାଲ ମ୍ୟାଚରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ନୂଆ ଚାମ୍ପିୟନ ହୋଇଛି ଗୁଜରାଟ ଟିମ୍ । ଅହମ୍ମଦାବାଦଠାରେ ରବିବାର ଆୟୋଜିତ ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ହରାଇଛି ଗୁଜରାଟ । ଫଳରେ ୧୪ ବର୍ଷ ପରେ ଫାଇନାଲକୁ ଯାଇଥିବା ରାଜସ୍ଥାନ ଟିମର ଦ୍ୱିତୀୟ ଥର ଚାମ୍ପିୟନ ହେବା ଆଶା ଧୂଳିସାତ ହୋଇଛି ।

ଗତକାଲି ଫାଇନାଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ ମାତ୍ର ୧୩୦ ରନ କରିବାରେ ସଫଳ ହୋଇଥିଲା । ରାଜସ୍ଥାନ ପକ୍ଷରୁ ଜଶ୍ ବଟଲର ୩୯ ରନ କରିଥିବାବେଳେ ୟଶ୍ୱସୀ ଜୟସ୍ୱାଲ ୨୨ ରନ କରିଥିଲେ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ୱିକେଟ ନେଇଥିବାବେଳେ ସାଇ କିଶୋର ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୩୧ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଗୁଜରାଟ ସହଜରେ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା । ଫାଇନାଲ ମ୍ୟାଚକୁ ୭ ଓ୍ୱିକେଟରେ ନିଜ ନାମରେ କରିଥିଲା ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ୍ ୪୫ ରନ କରିଥିବାବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ରନ କରିଥିଲେ । ତେବେ ଶେଷରେ ଡେଭିଡ ମିଲର ଦ୍ରୁତ ୩୨ ରନ କରି ଗୁଜରାଟକୁ ଟାଇଟଲ ଭେଟି ଦେଇଥିଲେ ।