ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ, ବର୍ଷା ପାଇଁ ମ୍ୟାଚ ହୋଇଥିଲା ବାତିଲ

ଅହମ୍ମଦାବାଦ: ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଆଜି ରିଜର୍ଭ ଡେରେ ସଂଧ୍ୟା ୮ଟାରେ ଖେଳାଯିବ ମ୍ୟାଚ । ଗତକାଲି ପ୍ରବଳ ବର୍ଷା ପାଇଁ ମ୍ୟାଚ ବାତିଲ କରାଯାଇଥିଲା । ଲଗାତାର ବର୍ଷା ଜାରି ରହିଥିବାରୁ ମ୍ୟାଚକୁ ବାଧ୍ୟ ହୋଇ ବାତିଲ କରାଯାଇଥିଲା । ଚଳିତ ବର୍ଷ କିଏ ଟାଇଟଲ ହାତେଇବ ତାରି ଉପରେ ରହିଛି କ୍ରୀଡାପ୍ରେମୀଙ୍କ ନଜର । ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିଲା ଆଇପିଏଲ ମୁକାବିଲା ।

ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ହୋଇଥିଲା ଉଦଘାଟନୀ ମୁକାବିଲା । ଏହି ମ୍ୟାଚରେ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଥିଲା ଗୁଜୁରାଟ । ଏବେ ଦୁଇମାସ ପରେ ପୁଣି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଉଭୟ ଟିମ୍ । ଚଳିତ ଆଇପିଏଲ ସିଜନରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଭଲ ପ୍ରଦର୍ଶନ କରି ଆସିଛି । ୧୪ ଟି ମ୍ୟାଚରୁ ୮ଟିରେ ବିଜୟ ଓ ଗୋଟିଏ ଡ୍ର ଯୋଗୁ ୧୭ ପଏଣ୍ଟ ହାସଲ କରି ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା । ସେହିପରି ହାର୍ଦ୍ଦିକଙ୍କ ନେତୃତ୍ବାଧିନ ଗୁଜୁରାଟ ମଧ୍ୟ ୧୪ଟି ଲିଗରୁ ୧୦ଟି ଜିତି ୨୦ ପଏଣ୍ଟ ପାଇ ଟେବୁଲ ତାଲିକାର ପ୍ରଥମରେ ରହିଥିଲା । ଦଳର ଶୁଭମନ ଗିଲଙ୍କ ଲଗାତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଦଳର ବୋଲିଂ ଲାଇନ ମଧ୍ୟ ଭଲ ରହିଛି ।