ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ଗୁଜରାଟ ଟାଇଟନ୍ସ

1 min read

କୋଲକାତା: ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବରେ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଛି । ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଏହି ବିଜୟ ସହ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ।

ଗତକାଲି କୋଲକାତାର ଇଡେନ ଗାର୍ଡେନ୍ସରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଜୋଶ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟରେ ୧୮୮ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ୪୭ ରନ କରିଥିବାବେଳେ ଜୋଶ୍ ବଟଲର ୮୯ ରନ କରିଥିଲେ ।

୧୮୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ପ୍ରଥମ ଓଭରରେ ଓ୍ୱିକେଟ ହରାଇ ବ୍ୟାକଫୁଟରେ ରହିଥିଲା । କିନ୍ତୁ ଏହା ପରେ ଓପନର ଶୁଭମନ ଗିଲ୍ ଓ ମାଥ୍ୟୁ ଓ୍ୱେଡ ଆକ୍ରମଣାତ୍ମକ ବ୍ୟାଟିଂ କରି ୭୨ ରନ୍ ସଂଗ୍ରହ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ହାର୍ଦ୍ଦିକ ପଣ୍ଡ୍ୟା ଓ ଡେଭିଡ ମିଲର । ଉଭୟ ବ୍ୟାଟ୍ସମ୍ୟାନ ୧୦୬ ରନର ପାର୍ଟନରସିପ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ । ଗୁଜରାଟ ପକ୍ଷରୁ ମିଲର ୩୮ ବଲରୁ ୩ ଚୌକା ଓ ୫ ଛକା ବଳରେ ୬୮ ରନ କରିଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୪୦ ରନ କରିଥିଲେ ।