ସମ୍ପୂର୍ଣ୍ଣ ରୀତିନୀତିରେ ‘କାର’ର ଶେଷକୃତ୍ୟ ସମ୍ପନ୍ନ

ଗୁଜରାଟ: ଆପଣ ମଣିଷଙ୍କ ଶେଷକୃତ୍ୟ ହେଉଥିବା ଦେଖିଛନ୍ତି । କିଛି ସ୍ଥାନରେ ଲୋକେ ସେମାନଙ୍କୁ ପାଳିତ ପଶୁପକ୍ଷୀଙ୍କ ମଧ୍ୟ ଶେଷକୃତ୍ୟ କରୁଥିବା ଦେଖିଥିବେ । ହେଲେ କେବେ କାରର ଶେଷକୃତ୍ୟ ହେବା କଥା ଶୁଣିଛନ୍ତି କି ଦେଖିଛନ୍ତି କି ? ଶୁଣିଲେ, ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଘଟଣା ସତ । କାରକୁ ଦିଆଯାଇଛି ସମାଧି, ତାହା ପୁଣି ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ।

ଏମିତି ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଗୁଜରାଟର ଏକ ପରିବାର ସେମାନଙ୍କ ଅତି ପ୍ରିୟ ଓ୍ବାଗନର କାରକୁ ସମାଧି ଦେଇଛନ୍ତି ।

ତଥ୍ୟ ଅନୁସାରେ, ଗୁଜରାଟର ଆମରେଲିର ସଞ୍ଜୟ ପୋଲରା ଓ ତାଙ୍କ ପରିବାର ନିକଟରେ ଏକ ୧୨ ବର୍ଷ ପୁରୁଣା ୱାଗନର କାର ଥିଲା । କାର୍ ସହିତ ସେମାନଙ୍କର ରହିଥିଲା ଅପୂର୍ବ ସମ୍ପର୍କ । କାରଟିକୁ ନିଜର କ୍ଷେତରେ ସମାଧି ଦେବା ଲାଗି ସେମାନେ ଚିନ୍ତା କରିଥିଲେ । ଏଥି ଶେଷକୃତ୍ୟ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ ପ୍ରାୟ ୧୫ ଶହ ଲୋକ । ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୪ ଲକ୍ଷ ଟଙ୍କା ।

ଧାର୍ମିକ ରୀତିନୀତି ଅନୁସାରେ ହୋଇଥିଲା ଶେଷକୃତ୍ୟ । ପ୍ରାୟ ୧୫ ଫୁଟ ଗଭୀର ଗାତରେ ଫୁଲରେ ସଜ୍ଜିତ କାରକୁ ସମାଧି ଦିଆଯାଇଥିଲା । ଉତ୍ତମ ଭବିଷ୍ଯତ କାମନା କରି ସଞ୍ଜୟ ଓ ତାଙ୍କ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସୁରଟରେ ସଞ୍ଜୟଙ୍କ ଏକ ନିର୍ମାଣ ଉଦ୍ଯୋଗ ରହିଛି। ସେ କହିଛନ୍ତି, ଏହି କାର ତାଙ୍କ ଲାଗି ଲକି ସାବ୍ଯସ୍ତ ହୋଇଥିଲା । ତେଣୁ କାରକୁ ନ ବିକି ସେମାନେ ତାହାକୁ ସମାଧି ଦେଲେ ।