ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନକୁ ୫୮ ରନରେ ପରାସ୍ତ କଲା ଗୁଜରାଟ

ଗତକାଲି ଖେଳାଯାଇଥିବା ଆଇପିଏଲର ୨୩ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏକ ହାଇ ସ୍କୋର କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ୫୩ଟି ବଲରୁ ୮୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋସ ବଟଲର ୩୬, ଶାହରୁଖ ଖାନ ୩୬ ରନ୍ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ଏମ. ଥିକସାନା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
୨୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୦ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ଓ ୧୨ ହୋଇଥିବା ବେଳେ ନୀତିଶ ରାଣାଙ୍କ ଓ୍ବିକେଟ ହରାଇଥିଲା ଦଳ । ଦଳ ପକ୍ଷରୁ ଶିମ୍ରୋନ ହିଟେମୟର ୫୨ ରନ୍ ଓ ଅଧିନାୟକ ସଞ୍ଜୁ ସାମସନ ୪୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଗୁଜରାଟ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ ଓ ରବିଶ୍ରୀନିବାସନ ସାଇ କିଶୋର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।