ଗୁଜରାଟ ବିଧାନସଭା ନିର୍ବାଚନ: ଭୋଟ ଦେଲେ ମୋଦି ଏବଂ ତାଙ୍କ ମାଆ

ଗାନ୍ଧୀନଗର: ଗୁଜରାଟ ବିଧାନସଭା ପାଇଁ ଆଜି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତାଦାନ । ୧୪ ଜିଲ୍ଲାର ୯୩ ଆସନ ପାଇଁ ହେଉଛି ଭୋଟିଂ । ୨ କୋଟି ୫୧ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏମାନଙ୍କ ମଧ୍ୟରେ ଏକ କୋଟି ୨୯ ଲକ୍ଷ ପୁରୁଷ ଥିବା ବେଳେ ଏକ କୋଟି ୨୨ ଲକ୍ଷ ମହିଳା ଭୋଟର ଅଛନ୍ତି । ୧୮ରୁ ୧୯ ବର୍ଷର ୫ ଲକ୍ଷ ୯୬ ହଜାର ଭୋଟର ଅଛନ୍ତି । ଭୋଟ ଗ୍ରହଣ ପାଇଁ ୧୪ ହଜାର ୯୭୫ ବୁଥ ହୋଇଥିବା ବେଳେ ଏକ ଲକ୍ଷ ୧୩ ହଜାର କର୍ମଚାରୀ ମତଦାନ କାମରେ ନିୟୋଜିତ ହୋଇଛନ୍ତି ।

ଅହମ୍ମଦାବାଦର ରାନିପର ଏକ ସ୍କୁଲରେ ହୋଇଥିବା ବୁଥରେ ପ୍ରଧାନମନ୍ତ୍ରୀ ଭୋଟ୍ ଦେଇଥିଲେ । ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମୋଦି ଭୋଟ୍ ଦେଇଥିଲେ । ଏପରିକି ମତଦାନ କେନ୍ଦ୍ରକୁ ସେ ଚାଲିଚାଲି ଯାଇଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ମାଆ ହିରାବେନ ମଧ୍ୟ ନିଜ ମତାଧିକାର ସାବ୍ୟସ୍ଥ କରିଛନ୍ତି । ଗାନ୍ଧୀନଗରରେ ହିରାବେନ ଭୋଟ ଦେବା ବେଳେ ମୋଦିଙ୍କ ଭାଇ ପଙ୍କଜ ମୋଦି ସାଥିରେ ଉପସ୍ଥିତ ଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ସପରିବାରେ ଅହମ୍ମଦାବାଦର ନାରଣପୁରାରେ ଭୋଟ ଦେଇଥିଲେ ।