ନାମଲେଖା ବାତିଲ ହେଲେ ଛାତ୍ରଛାତ୍ରୀ ଫେରସ୍ତ ପାଇବେ ସମ୍ପୂର୍ଣ୍ଣ ଫି’

1 min read

ଭୁବନେଶ୍ବର: ନାମଲେଖା ବାତିଲ ହେଲେ ଛାତ୍ରଛାତ୍ରୀ ପାଇବେ ସମ୍ପୂର୍ଣ୍ଣ ଫି’। ଏ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ସମ୍ପୂର୍ଣ୍ଣ ଫି ଫେରସ୍ତ ପାଇବା ପାଇଁ ସେପ୍ଟେମ୍ବର ୩୦ର ଡେଡଲାଇନ୍ ବି ସ୍ଥିର କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ୟୁଜିସି ପକ୍ଷରୁ ଚିଠି କରାଯାଇଛି । ନିୟମ ଖିଲାଫ କଲେ, ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ୟୁଜିସି ପକ୍ଷରୁ ଫି ଫେରସ୍ତ ନୀତି ୨୦୨୪-୨୫ ଜାରି କରାଯାଇଛି । ନାମଲେଖା ବାତିଲ୍ କିମ୍ବା ପ୍ରତ୍ୟାହାର ପରେ ଫି ଫେରସ୍ତକୁ ନେଇ ଅନେକ ଶିକ୍ଷାନୁଷ୍ଠାନ ମନମୁଖି ଚଳାଇଥିବା ଅଭିଯୋଗ ହୋଇଆସୁଥିଲା । ଏହାକୁ ନେଇ ୟୁଜିସି ପକ୍ଷରୁ ଏପରି ଚରମ ପଦକ୍ଷେପ ନିଆଯାଇଛି । ଫି ଫେରସ୍ତରେ ସ୍ବଚ୍ଛତା ନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି । ୟୁଜିସିର ବୈଠକରେ ଏ ଦିଗରେ ଆଲୋଚନା ହୋଇଥିଲା । ଏହାପରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଫି ଫେରସ୍ତ ନୀତିରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ନୀତି ଅନୁଯାୟୀ ସେପ୍ଟେମ୍ବର ୩୦ ମଧ୍ୟରେ ଯଦି ନୂଆ ନାମଲେଖା ପ୍ରତ୍ୟାହାର କିମ୍ବା ବାତିଲ କରନ୍ତି, ତେବେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବ । ଯଦି ଅକ୍ଟୋବର ୩୧ ମଧ୍ୟରେ ବାତିଲ କିମ୍ବା ପ୍ରତ୍ୟାହାର କରନ୍ତି, ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ମାତ୍ର ଏକ ହଜାର ଟଙ୍କା ଫେରସ୍ତ କରିବେ । ଏହି ନିୟମକୁ ୟୁଜିସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ, ରାଜ୍ୟ ଓ କେନ୍ଦ୍ର ବିଶ୍ବବିଦ୍ୟାଳୟ, ଡିମଡ୍ ଟୁ ବି ବିଶ୍ବବିଦ୍ୟାଳୟ ଅନୁମୋଦିତ ସଂସ୍ଥା କ୍ଷେତ୍ରରେ ଲାଗୁ କରାଯିବ । ଏହା ଅଧିକାଂଶ ଗରିବ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ।

ୟୁଜିସି ଆଉ ଏକ ସନ୍ଦେହ ବି ଦୂର କରିଛି । ଯଦି କୌଣସି ଉଚ୍ଚଶିକ୍ଷାନୁଷ୍ଠାନର ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ କିମ୍ବା ୩୧ ଅକ୍ଟୋବର ପରେ ହେଉଛି, ତେବେ ୟୁଜିସି ପକ୍ଷରୁ ୨୦୧୮ର ଫି’ ଫେରସ୍ତ ନୀତି ଲାଗୁ କରାଯିବ । ଏହା ଜରିଆରେ ନାମଲେଖା ଶେଷ ତାରିଖର ୧୫ ଦିନ କିମ୍ବା ପୂର୍ବରୁ ନାମଲେଖା ପ୍ରତ୍ୟାହାର କଲେ ଶତ ପ୍ରତିଶତ ଟଙ୍କା ଫେରସ୍ତ ଦିଆଯିବ । ସେହିପରି ୧୫ ଦିନରୁ କମ୍ ଦିନ ପୂର୍ବରୁ ନାମଲେଖା ବାତିଲ୍ କଲେ, ୯୦ ପ୍ରତିଶତ ଟଙ୍କା ଫେରସ୍ତ କରାଯିବ । ନାମଲେଖା ଶେଷ ତାରିଖ ପରେ ୧୫ ଦିନ ଭିତରେ ନାମଲେଖା ପ୍ରତ୍ୟାହାର କଲେ ୮୦ ପ୍ରତିଶତ ଟଙ୍କା ଫେରସ୍ତ ଦିଆଯିବ । ସେହିପରି ୩୦ ଦିନ ମଧ୍ୟରେ ନାମଲେଖା ପ୍ରତ୍ୟାହାର କଲେ ୫୦ ପ୍ରତିଶତ ଟଙ୍କା ଫେରସ୍ତ ହେବାକୁ ଥିବା ବେଳେ ୩୦ ଦିନ ପରେ ବାତିଲ କଲେ କିଛି ଟଙ୍କା ଫେରସ୍ତ ହେବ ନାହିଁ । ଯାହା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହେବ ।

ୟୁଜୁସିର ଏହି ନୂଆ ନିୟମ ମାନିବାକୁ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବାଧ୍ୟ । ଯଦି ଏଥିରେ କୌଣସି ଖିଲାପ ହୁଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୟୁଜୁସିର ଫି ଫେରସ୍ତ ବିଜ୍ଞପ୍ତିର କ୍ଲଜ ୫ ଆଧାରରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।