ଓଡ଼ିଶାରେ ୧୨ ଦିନ ଧରି ଥିଲା ଗୁଡୁ ମୁସଲିମ୍‌, ଏପ୍ରିଲ ୨ରୁ ୧୩ ପର୍ଯ୍ୟନ୍ତ ବରଗଡ଼ରେ ଲୁଚିଥିଲା ଗୁଡ୍ଡୁ

ଭୁବନେଶ୍ୱର:  ଓଡ଼ିଶାରେ ୧୨ ଦିନ ଧରି ଥିଲା ଗୁଡୁ ମୁସଲିମ୍‌ । ଏପ୍ରିଲ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମ୍‌ । ୟୁପିରେ ଉମେଶ ପାଲ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଲୁଚିଥିଲା  । ଏବେ ସେ ଛତିଶଗଡ଼ ପଳାଇଥିବା ଜଣାପଡ଼ିଛି । ଗଲାବେଳେ ତା’ର ବ୍ୟାଗ ଓ କିଛି ସାର୍ଟ ପ୍ୟାଣ୍ଟ ଛାଡ଼ି ଦେଇଥିବା ଜଣାପଡ଼ିଛି । ଗୁଡ୍ଡୁ ମୁସଲିମ ସେଠାରେ ରାଜା ଖାନ୍‌ ନାମକ ଜଣେ ବ୍ୟକ୍ତି ସହ ସମ୍ପର୍କରେ ଥିଲା । ତାକୁ ନେଇ ପୋଲିସ ପଚରାଉଚରା କରୁଛି  । ଗୁଡ୍ଡୁ ମୁସଲିମ ଏବେ ନିଜର ଚେହେରା ବଦଳାଇଥିବା ବେଳେ ଦାଢି ବଢାଇଥିବା ଜଣାପଡ଼ିଛି । ପୋଲିସ ନଜରରୁ ଖସିବା ପାଇଁ ନାନା ପଇଁତରା ମାରୁଛି ଗୁଡ୍ଡୁ ମୁସଲିମ୍‌ ।

ଗୁଡ୍ଡୁ ମୁସିଲମ୍‌ ଉତ୍ତର ପୂର୍ବ ରାଜ୍ୟ ଦେଇ ଏବେ ଫେରାର ହେବାକୁ ଚେଷ୍ଟା କରୁଛି । ଛତିଶଗଡ଼ରେ ଗୁଡ୍ଡୁ ଥିବା ସ୍ପଷ୍ଟ ହୋଇଛି । ଖୁବଶୀଘ୍ର ୟୁପି ଏସଟିଏଫ ଗୁଡ୍ଡୁକୁ ଗିରଫ କରିବ ବୋଲି ଚର୍ଚ୍ଚା ହେଉଛି । ଉମେଶ ପାଲ ହତ୍ୟା ଘଟଣାରେ ୧୦ ଜଣ ଅଭିଯୁକ୍ତ ଥିଲେ । ଅତିକ ଅହମ୍ମଦ ଓ ଗୁଡ୍ଡୁ ମୁସଲିମ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଅତିକ ଅହମ୍ମଦକୁ  କିଛି ଦିନ ତଳେ ପୋଲିସ ହେପାଜତରେ ଥିବାବେଳେ ହତ୍ୟା କରାଯାଇଥିଲା ।