ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ଜିଏସଟି ପରିଷଦ ବୈଠକରେ ଆଲୋଚନା
1 min read
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ଯକ୍ଷତାରେ ଜିଏସଟି ପରିଷଦ ବୈଠକ। ବ୍ଯବସାୟୀମାନଙ୍କୁ ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଜିଏସଟି ରିଟର୍ଣ୍ଣ ଫାଇଲିଂରେ ପରିବର୍ତ୍ତନ କିମ୍ବା ଯୋଗ ଲାଗି ଆସିଥିବା ପ୍ରସ୍ତାବ ସମ୍ପର୍କରେ ବି ବିଚାର କରାଯାଇଛି। ବୈଠକରେ ବିଭିନ୍ନ ରାଜ୍ଯର ଅର୍ଥମନ୍ତ୍ରୀ ଯୋଗଦେଇଥିଲେ। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ। ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।