GST ଫାଙ୍କିବା କ୍ଷେତ୍ରରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସର୍ବନିମ୍ନ ସୀମାକୁ ୨ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: ଜିଏସଟି ଫାଙ୍କିବା କ୍ଷେତ୍ରରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସର୍ବନିମ୍ନ ସୀମାକୁ ୨ କୋଟିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ୧ କୋଟି ଟଙ୍କା ଥିଲା । ୪୮ତମ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା । ବୈଠକରେ ୧୫ଟି ବିଷୟ ସମ୍ପର୍କରେ ଆଲୋଚନା ଲାଗି ସ୍ଥିରୀକୃତ ହୋଇଥିବା ସତ୍ତ୍ବେ ୮ଟି ସମ୍ପର୍କରେ ଆଲୋଚନା ହୋଇଛି । ଜିଏସଟି ଲାଗି ଆପେଲେଟ ଟ୍ରିବ୍ୟୁନାଲ ଗଠନ ବିଷୟ ବି ଆଲୋଚିତ ହୋଇପାରିନାହିଁ ।

ସେହିପରି ପାନ ମସଲା ଓ ଗୁଟଖା ବ୍ୟବସାୟ କ୍ଷେତ୍ରରେ କର ଠକେଇ ରୋକିବା ଏବଂ ଅନଲାଇନ ଗେମିଂ ଓ କାସିନୋ ଉପରେ ଜିଏସଟି ଲାଗୁ ପ୍ରସଙ୍ଗ ବି ଆଲୋଚନା ହୋଇପାରିନାହିଁ । ଡାଲିଜାତୀୟ ଶସ୍ୟର ଚଷୁ ଉପରେ ରହିଥିବା ୫ ପ୍ରତିଶତ ଜିଏସଟିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ବୈଠକରେ ନିଜର କର୍ତ୍ତବ୍ୟ କରିବାରେ କୌଣସି ଜିଏସଟି ଅଧିକାରୀଙ୍କୁ ଅଟକାଇବା ବା ପ୍ରତିବନ୍ଧକ ସୃଷ୍ଟି କରିବା, ତଥ୍ୟ ପ୍ରମାଣକୁ ଜାଣିଶୁଣି ଲୁଚାଇାବକୁ ଉଦ୍ୟମ କରିବା ଓ ସୂଚନା ଦେବାରେ ବିଫଳତା ଆଦିକୁ ଅପରାଧମୁକ୍ତ କରାଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।