GST ପ୍ରଣୟନକୁ ପୂରିବ ୫ ବର୍ଷ, ୪ରୁ ୩ ଟିକସ ସ୍ଲାବ କରିବାକୁ ଚାଲିଛି ପ୍ରସ୍ତୁତି

1 min read
GST Changes To Made In Slab Bracket Rate Compensation

ନୂଆଦିଲ୍ଲୀ: ପୁଣି ବଢ଼ିବ ଦରଦାମ । GST ପ୍ରଣୟନର ୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଲାଗିପାରେ ବଡ଼ ଝଟକା । ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ପରିବର୍ତ୍ତନରେ ଟ୍ୟାକ୍ସ ସ୍ଲାବ, ଜିଏସଟି ବ୍ରାକେଟ ସାମିଲ୍ ରହିଛି । ଏହାଛଡ଼ା ରାଜ୍ୟଙ୍କୁ ମିଳୁଥିବା ଜିଏସଟି କ୍ଷତିପୂରଣ ମଧ୍ୟ ବନ୍ଦ ହୋଇଯିବ ।

GSTର ଇତିହାସ

୨୦୧୭ ମାର୍ଚ୍ଚ ୨୯ରେ ସଂସଦରେ ପାରିତ ହୋଇଥିଲା ଜିଏସଟି ଆଇନ୍ । ଏହାପରେ ସରକାର ସେହି ବର୍ଷ ଜୁଲାଇ ୧ ତାରିଖରେ ନୂଆ ବ୍ୟବସ୍ଥା ଲାଗୁ କରିଥିଲେ । ଏହି ପରିବର୍ତ୍ତନ ଫଳରେ ପୂର୍ବରୁ ଥିବା ଏକ୍ସସାଇଜ୍ ଡ୍ୟୁଟି, ଭାଟ୍, ଓ ସର୍ଭିସ୍ ଟ୍ୟାକ୍ସ ଭଳି ପରୋକ୍ଷ ଟିକସକୁ ଏକତ୍ର କରି ଗୋଟିଏ ପରୋକ୍ଷ ଟିକସ କରାଯାଇଥିଲା । ଏହା ପଛର ଉଦ୍ଦେଶ୍ୟ ଥିଲା ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିବା । ତେବେ ଏବେବି ଡିଜେଲ୍, ପେଟ୍ରୋଲ୍, ମଦ, ଏଟିଏଫ୍ ସମେତ ଅନ୍ୟ କେତେକ ସାମଗ୍ରୀ ଜିଏସଟିରେ ଅନ୍ତର୍ଭୁକ୍ତ ହୋଇ ନାହିଁ ।

GST Changes To Made In Slab Bracket Rate Compensation

ଜିଏସଟି ଲାଗୁ ହେବାକୁ ୫ ବର୍ଷ ବିତିବାକୁ ଯାଉଛି । ତଥାପି ଏହି ବ୍ୟବସ୍ଥାକୁ ଅନେକ ଜଟିଳ କହୁଛନ୍ତି । ଜିଏସଟି ପ୍ରଣୟନ ପରେ ଏଥିରେ ଅନେକ ପରିବର୍ତ୍ତନ ଆସି ସାରିଲାଣି । ଆଉ ଲୋକଙ୍କ ଦାବି ହେଉଛି ଜିଏସଟି ସ୍ଲାବ କମ୍ ହେଉ । ଏବେ ଜିଏସଟିରେ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତ ୪ଟି ସ୍ଲାବ୍ ରହିଛି । ସରକାର ଏବେ ଏହାକୁ ହ୍ରାସ୍ କରି ୩ଟି ସ୍ଲାବ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସ୍ଲାବ୍ ସଂଖ୍ୟା କମିଲେ ବିଭିନ୍ନ ସାମଗ୍ରୀର ଦର ବଦଳି ଯିବ । କାହିଁକି ନା ସରକାରଙ୍କ ଲକ୍ଷ୍ୟ ସ୍ଲାବ ହ୍ରାସ୍ କରି ଅଧିକ ରାଜସ୍ୱ ଆଦାୟ କରିବା । ଟିକସ ସ୍ଲାବ ହ୍ରାସ୍ ହେଲେ ଅଧିକାଂଶ ସାମଗ୍ରୀର ଦରଦାମ ବଢ଼ିଯିବ । ଏହାବାଦ୍ ୫ ପ୍ରତିଶତ, ୧୨ ପ୍ରତିଶତ ସ୍ଲାବରେ ଟିକସ ୧ ପ୍ରତିଶତ ଲେଖାଏ ବଢ଼ିପାରେ ।

କ୍ଷତି ସହିବ ରାଜ୍ୟ

ଜିଏସଟି ବ୍ୟବସ୍ଥା ଲାଗୁ ବେଳେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ନେଇ ପ୍ରାବଧାନ ଥିଲା । ରାଜସ୍ୱ ସଂଗ୍ରହରେ ରାଜ୍ୟ କ୍ଷତି ନ ସହିବା ଲାଗି ପ୍ରତି ମାସରେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ଦିଅନ୍ତି । ଆଉ ଏହି ବ୍ୟବସ୍ଥା ଜିଏସଟି ଲାଗୁ ହେବାର ୫ ବର୍ଷ ପାଇଁ । ୨୦୨୨ ଜୁଲାଇ ୧କୁ ଜିଏସଟି ପ୍ରଣୟନକୁ ୫ ବର୍ଷ ପୂରିବ । ଏଥିସହ ରାଜ୍ୟକୁ ମିଳୁଥିବା ଜିଏସଟି କ୍ଷତିପୂରଣ ବନ୍ଦ ହୋଇଯିବ । ଫଳରେ ରାଜ୍ୟମାନଙ୍କ ରାଜସ୍ୱ ହ୍ରାସ୍ ପାଇବ ।

GST Changes To Made In Slab Bracket Rate Compensation

ଜିଏସଟି କାଉନସିଲର ଆଗାମୀ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ପରବର୍ତ୍ତୀ ବୈଠକ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସ ଆରମ୍ଭରେ ବସିବାର ସମ୍ଭାବନା ରହିଛି ।

Leave a Reply