କମିଶନରେଟ୍ ପୋଲିସକୁ ବଡ଼ ସଫଳତା, ବନ୍ଧୁକ ଦେଖାଇ ଲଘୁ ଖଣିଜ ଲୁଟ୍ ମାମଲାରେ କାବୁ ହେଲେ ଅଭିଯୁକ୍ତ

ଭୁବନେଶ୍ବର : ଆକ୍ସନ ମୋଡରେ ଟିମ୍ ପିନାକ । ବଡ଼ ଦିନରେ ବଡ଼ ସଫଳତା । କ୍ରିମିନାଲଙ୍କୁ ଆକ୍ସନ ପୂର୍ବରୁ ପୋଲିସର ରିଆକ୍ସନ । ଗ୍ରୀଲ କଟା ଗ୍ୟାଙ୍ଗକୁ ବି ଘାଇଲା କଲା ପୋଲିସ୍ । ରାଜଧାନୀରେ ଡନ୍ ବନୁଥିଲେ । ମେସିନ୍ ଧରି କ୍ରାଇମ୍ କରିବା ପାଇଁ ମୌକା ଖୋଜୁଥିଲେ । କିନ୍ତୁ ସେମାନଙ୍କ ହିରୋଗିରି ପୂର୍ବରୁ ଘାଇଲା କରିଦେଇଛି ପିନାକଙ୍କ ସ୍କ୍ବାଡ।  ବନ୍ଧୁକ ମୁନରୁ ଲଘୁ ଖଣିଜ ଲୁଟ ଉଦ୍ୟମ ଓ ରାଜଧାନୀର ୪ ଥାନା ଅଞ୍ଚଳରୁ ଲୁଟ୍ କରିଥିବା ବଡ଼ ଅପରାଧୀ ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇଦିନ ହେଲା ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଥିଲା ଚେକିଂ, ବ୍ଳକିଂ ଓ ନାକାବନ୍ଦୀ । ଏହି ସମୟରେ ଏକ ଧଳା ରଙ୍ଗର ଟାଟା ହ୍ୟାରିୟର ଗାଡ଼ିରେ ସନ୍ଦିଗ୍ଧ ଅବସ୍ଥାରେ ଧରା ପଡିଥିଲେ ୫ ଯୁବକ । ଅଭିଯୁକ୍ତ ଭବାନୀ ପ୍ରସାଦ ମହାନ୍ତି, ଏସ.କେ ରେହମତ ଅଲ୍ଲୀ, ଏମଡି ଜାକିର, ଦୀପକ କୁମାର ସାହୁ, ଚନ୍ଦନ ପ୍ରଧାନଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୫ ଟି ମାଉଜର, ୧୫ ଟି ଗୁଳି, ୭ ଟି ମୋବାଇଲ, ୮୪ ହଜାର ଟଙ୍କା ଜବତ କରାଯାଇଛି ।

ଏହି ପେଶାଦାର ଅପରାଧୀଙ୍କ ନାଁ ରେ ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ମର୍ଡର ଠାରୁ ଅପହରଣ ପର୍ଯ୍ୟନ୍ତ ସଙ୍ଗୀନ କେସ ଥିବା ବେଳେ ଆବଶ୍ୟକ ସ୍ଥଳେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡିଛି । ସେପଟେ ପୋଲିସ ପାଇଁ ଗତକିଛି ଦିନ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସିନ୍ଧିଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏୟାରପୋର୍ଟ, ତମାଣ୍ଡୋ, ମଞ୍ଚେଶ୍ୱର, ଭରତପୁର ରେ ଏହି ଅଭିଯୁକ୍ତ ମାନେ ଗ୍ରୀଲ କାଟି ଲୁଟୁଥିଲେ । ସେମାନଙ୍କ ଠାରୁ ୧୦୨ ଗ୍ରାମ ସୁନା , ଫରେନ ମନି, ନଗଦ ଟଙ୍କା, ଦାମୀ ମୋବାଇଲ , ବ୍ରାଣ୍ଡେଡ ଘଣ୍ଟା ଆଦି ଜବତ କରାଯାଇଛି । ଆଗାମୀ ଦିନରେ ନୂଆବର୍ଷ ଥିବା ବେଳେ ଆଗକୁ ଅପରେସନ ଆହୁରି ଜୋରଦାର ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଓ ଡିସିପି । କମିଶନରେଟ ପୋଲିସର ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗତ କିଛିଦିନ ହେଲା ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଏଭଳି ଅପରାଧୀ ଗ୍ୟାଙ୍ଗ ଠାବ ଘଟଣା ରାଜଧାନୀବାସୀଙ୍କ ପାଇଁ ଆଣିଦେଇଛି ଆସ୍ୱସ୍ତି ।